ବାତ୍ୟା “ଦାନା” ପାଇଁ ୪୦୦ଜଣଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ
ହଟଡ଼ିହି, (ବିକାଶ ବିଶ୍ୱାଳ):ବାତ୍ୟା “ଦାନା” ପାଇଁ ହାଟତିହି ବ୍ଲକର ତଲୁଆ ଅଞ୍ଚଳରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି। ଆଜି ରାତିରେ ପ୍ରବଳ ବର୍ଷା ସହ ଖୁବ ଜୋରରେ ପବନ ବହିବାର ଆଶଙ୍କା ଥିବାରୁ ୧୧ହଜାର ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳ ମାନଙ୍କୁ ଅଣାଯିବ ବୋଲି ବ୍ଲକ ପ୍ରଶାସନ ସୁଚ଼ନା ଦେଇଛି । ତେବେ ରାତି ୭ଟା ସୁଧା ସାମାନ୍ୟ ବର୍ଷା ହୋଇଥିବା ବେଳେ ତୁହାକୁ ତୁହା ପବନ ହେଉଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ ପବନର ବେଗ ବଢିବା ସହ ବର୍ଷାର ପରିମାଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଲୋକମାନେ ଭୟଭିତ ହୋଇ ଆଶ୍ରୟସ୍ଥଳୀ ମାନଙ୍କୁ ପଳାଇ ଆସିଛନ୍ତି। ସନ୍ଧ୍ୟା ୭ଟା ସୁଧା ୪୦୦ଜଣଙ୍କୁ ସ୍ଥାନାନ୍ତର କରାଯାଇ ଥିବା ପ୍ରଶାସନ ସୁଚନା ଦେଇଛି। ପଞ୍ଚୁଗୋଛିଆ ପଞ୍ଚାୟତର ତଳୁଆ ଅଞ୍ଚଳ ଭାବେ ପରିଚିତ ତରଭା ଗ୍ରାମରେ ଦେଢ଼ ଶହରୁ ଉର୍ଦ୍ଧ ଲୋକ ଆଶ୍ରୟ ନେଇଥିବା ବେଳେ ସରପଞ୍ଚ ଦିନେଶ କୁମାର ସେଠୀ ଲୋକଙ୍କୁ ଚୁଡା ଚିନି ବଣ୍ଟନ କରିଛନ୍ତି। ସେହିପରି ବରଡି ସ୍କୁଲରେ ମଧ୍ୟ ୧୦୦ରୁ ଉର୍ଦ୍ଧ ଲୋକ ଆଶ୍ରୟ ନେଇଛନ୍ତି। ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଦଲକି, ପିତାନାଉ, ସୁନ୍ଦରାପାଳ, ଝଣଝଣା, ଢ଼େଙ୍କା ଆଦି ଗ୍ରାମର ୧୩୦ ଜଣ ଲୋକଙ୍କୁ ରଖାଯାଇ ଥିବାବେଳେ ରତକଣା ବାତ୍ୟା ଆଶ୍ରୟ ସ୍ଥଳୀରେ ୧୨ଜଣଙ୍କୁ ରଖାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଏନ. ତିରୁମାଲା ନାୟକ ଆଜି ସକାଳେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହିତ ତଳିଆ ଅଞ୍ଚଳ ଓ ଚାଳଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ସ୍କୁଲମାନଙ୍କୁ ଆଣି ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ବର୍ଷାର ପରିମାଣ ବୃଦ୍ଧି ପାଏ ତେବେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ ବୋଲି ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସୁଚନା ଦେଇଛନ୍ତି। ଆଜି ବ୍ଲକର ୧୮ଟି ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଠାରେ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି।