ବାତ୍ୟା ପାଇଁ ୪ ଆଇଏଏସ୍ ନିଯୁକ୍ତ
ଭୁବନେଶ୍ୱର : ସମୁଦ୍ରରେ ଅତି ଭୟାନକ ରୂପ ଧାରଣ କରିସାରିଛି ବାତ୍ୟା ‘ଅମ୍ଫାନ’ । ମହାବାତ୍ୟାର ରୂପ ଧାରଣ କରିଥିବା ବାତ୍ୟା ଏବେ ଉପକୂଳ ମୁହାଁ ହୋଇଛି । ପଶ୍ଚିମବଙ୍ଗର ସୁନ୍ଦରବନ ଇଲାକାରେ ଏହା ସ୍ଥଳଭାଗରେ ମାଡ଼ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଓଡ଼ିଶାରେ ସେଭଳି ବିପଦ ନଥିଲେ ବି ରାଜ୍ୟ ସରକାର ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟାର ମୁକାବିଲା ପାଇଁ ୪ ବରିଷ୍ଠ ଆଇଏଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବରିଷ୍ଠ ଆଇଏଏସ ଅଧିକାରୀମାନେ ସେହି ସବୁ ଜିଲ୍ଲାରେ ବାତ୍ୟା ପରିଚାଳନାକୁ ତଦାରଖ କରିବେ । ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ଓ ରିଲିଫ ବଣ୍ଟନ ନେଇ ପଦକ୍ଷେପ ମଧ୍ୟ ନିଆଯାଇଛି ।