ବାତ୍ୟା ପ୍ରଭାବ: ପିଇବା ପାଣି ଓ ଖାଦ୍ୟ ଲାଗି ହାହାକାର

ପୁରୀ (ଯୁଗାବ୍ଦ ନ୍ୟୁଜ):ଗତ ୩ ତାରିଖରେ ମହାବାତ୍ୟା ଫାନି ଆତଙ୍କ ଖେଳାଇ ଚାଲିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାର ପ୍ରକୋପ ଲୋକମାନେ ଭୁଲିପାରୁନାହାନ୍ତି । ଏପରିକି ବାତ୍ୟାର ୮ ଦିନ ପରେ ବି ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ । ଯେଉଁ ଦାଣ୍ଡରେ ୨୪ ଘଣ୍ଟା ଭିଡ଼ ଜମିରହିଥାଏ ସେହି ଦାଣ୍ଡ ଏବେ ପାଲଟିଛି ମରୁଭୂମି ଏବଂ ଲୋକମାନେ ପିଇବା ପାଣି ଓ ଖାଦ୍ୟ ଲାଗି ହାହାକାର ହେଉଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ୍ ନଥିବାରୁ ରାତିସାରା ଉଜାଗର ରହିବାକୁ ପଡ଼ୁଛି । ଯାହାଫଳରେ ପୁରୀବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି । ମାତ୍ର ସେମାନଙ୍କର ସୁବିଧା ପାଇଁ ପ୍ରଶାସନ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସଫଳ କରିପାରୁନି । ପିଇବା ପାଣି ପାଇଁ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆହେବା ଓ ସେଥିରୁ ମଧ୍ୟ ଦୂଷିତ ପାଣି ବାହାରିବା ଏହା ଆହୁରି କଷ୍ଟସାଧ୍ୟ । ଅନ୍ୟପକ୍ଷରେ ଲୋକଙ୍କ ପାଖରେ ରୋଷେଇ ପାଇଁ ପରିବା ମଧ୍ୟ ମିଳୁନି । ଯାହା ମିଳୁଛି ତାହା ଚଢ଼ା ଦରରେ । ଯାହାକି ଖାଉଟିଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି । ଅନ୍ୟପକ୍ଷରେ ପର୍ଯ୍ୟଟନ ସହରରେ ଖାଦ୍ୟ ଖାଇବାପାଇଁ ହୋଟେଲ, ରେଷ୍ଟୁରାଣ୍ଟ ମଧ୍ୟ ଖୋଲୁନାହିଁ । ତେଣୁ ସ୍ଥାନୀୟ ବାସିନ୍ଦା ସମେତ ପୁରୀକୁ ଆସୁଥିବା ଲୋକମାନେ ଓ ବାତ୍ୟା କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀ ସେହି ଦୁର୍ଦ୍ଦଶା ଭୋଗୁଛନ୍ତି । ଏଥିସହିତ ବିଦ୍ୟୁତ୍ ନଥିବାରୁ ଅସହ୍ୟ ଗରମରେ ଲୋକମାନେ ସିଝୁଛନ୍ତି । ଯାହାଫଳରେ ସହରରେ ପାନୀୟ, ଖାଦ୍ୟ ଓ ବିଦ୍ୟୁତ୍ର ଅଭାବ ନେଇ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଲେଣି । ସେହିପରି ସହରରେ ବ୍ୟାଙ୍କ ସେବା ଅଚଳ ଯୋଗୁଁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଏପରିକି ବ୍ୟାଙ୍କ ଖାତାରେ ଟଙ୍କା ଜମା ଥିଲେ ବି ସେମାନେ ଟଙ୍କା ଉଠାଇପାରୁନାହାନ୍ତି । ମାତ୍ର ଆର୍ବିଆଇ ପାସ୍ ବୁକ୍ ଦେଖାଇ ବ୍ୟାଙ୍କରୁ ୨ ହଜାର ଟଙ୍କା ଉଠାଇ ନେଇପାରିବେ ବୋଲି ଘୋଷଣା କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରୁନି । ଯାହାକି ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ପର୍ଯ୍ୟଟନ ସହରରେ ବିଦ୍ୟୁତ୍, ଖାଦ୍ୟ ଓ ପାନୀୟ ଯୋଗାଇବାରେ ପ୍ରଶାସନ କେବେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କର ନଜର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ