ବାତ୍ୟା ବୁଲବୁଲ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ଓ କ୍ଷୟକ୍ଷତି ୨ମୃତ

କେନ୍ଦ୍ରାପଡା – ବାତ୍ୟା ବୁଲବୁଲର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ଓ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହିତ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିଠାରୁ ସାରା ଜିଲ୍ଲାରେ ବର୍ଷା ଲାଗିରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇଥିବା ଦେଖାଯାଇଥିଲା । ଜିଲ୍ଲାର ରାଜନଗର ବ୍ଲକ ଅଚଂଳରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ସେହିପରି ଜିଲ୍ଲାର କେନ୍ଦ୍ରାପଡା ବ୍ଲକରେ ୨୯ ମିଲିମିଟର,ପଟ୍ଟାମୁଣ୍ଡାଇରେ ୩୭ ମିଲିମିଟର,ମାର୍ଶାଘାଇରେ ୪୪,ମହାକାଳପଡାରେ ୭୫,ଆଳିରେ ୮୯,ରାଜକନିକାରେ ୧୨୧,ଗରଦପୁରରେ ୪୬ ଓ ଡେରାବିଶ ବ୍ଲକରେ ୪୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲାରେ ମୋଟ ୬୬୫ ମିଲିମିଟର ଅର୍ଥାତ ୭୩.୮୯ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀ ବିଭାଗରୁ ସୂଚନା ମିଳିଛି । ଏହି ପବନ ଓ ବର୍ଷାରେ ଜିଲ୍ଲାର ୨ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରାଜକନିକା ବ୍ଲକର ଗଜରାଜପୁର ଗ୍ରାମର ଘର ଆଜବେଷ୍ଟସ ଭାଙ୍ଗି ପଡିବାରୁ ଗଣେଶ୍ୱର ମଳିକ(୬୫)ଙ୍କମୃତ୍ୟୁ ହୋଇଥିବା ବେଳେ ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗ୍ରାମର ଗଗନବିହାରୀ ସ୍ୱାଇଁ (୭୦)ଶୈାଚ ହେବାକୁ ଯାଇଥିବା ବେଳେ ଲୁଣାନଦୀରେ ଖସିପଡିବାରୁ ବୁଡି ଯାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ ଅଚଂଳରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ ରାସ୍ତା ସଫା କରିବା ସହ ପବନରେ ଉପୁଡି ପଡିଥିବା ଗଛଡାଳକୁ କାଟିଥିବାର ଦେଖାଯାଇଛି ।ଏତଦଭିନ୍ନ ରାଜନଗର ବ୍ଲକ ଅନ୍ତର୍ଗତ ଗିରିଆ ଅଚଂଳରୁ ଅଗ୍ନିଶମ ବାହିନୀ ସୁଶ୍ରୀ ସଂଗିତା ବଳ ନାମକ ଜଣେ ପ୍ରସୁତିଙ୍କୁ ବୁଲବୁଲର ପ୍ରକୋପ ସମୟରେ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଜିଲ୍ଲାର ରାଜକନିକା ଓ ରାଜନଗର ବ୍ଲକ ଅଚଂଳରେ ଗଛ ଭାଙ୍ଗିବା ସହ ବାସଗୃହ ଭାଙ୍ଗି ଯାଇ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକରେ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ୨ଟି ବ୍ଲକରେ ବିଶେଷ ଭାବରେ କ୍ଷତି ହୋଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲାର ବିଭିନ୍ନ ଅଚଂଳ ଗ୍ରସ୍ତକରି କ୍ଷୟକ୍ଷତି,ଉଦ୍ଧାର ଓ ବାତ୍ୟା ପରର ରାସ୍ତା ସଫାକରାଯିବା ପ୍ରଭୃତି ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ