ବାତ୍ୟା ‘ବୁଲବୁଲ’ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭିଡିଓ କନଫରେନ୍ସ ଜରିଆରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କ ସହଚା ଆଲୋଚନା ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ଓ ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଲାଗି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସମିତି (ଏନସିଏମସି)ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସମୁଦ୍ରରେ ଅଧିକ ଘନିଭୂତ ହୋଇ ୧୦ ନଭେମ୍ବର, ୨୦୧୯ ସକାଳେ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ୧୧୦ରୁ ୧୨୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏଥିସହିତ ସମୁଦ୍ରରେ ଦେଢ଼ ମିଟର ଉଚ୍ଚ ଜୁଆର ଉଠିପାରେ । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବାତ୍ୟା ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ଏବଂ ଅଗ୍ନିଶମ ବାହିନୀକୁ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି । ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି ଏବଂ ତଳିଆ ଅଂଚଳରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ଏନଡିଆରଏଫର ୧୪ଟି ଟିମକୁ ନିୟୋଜିତ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକର ଅନୁରୋଧ କ୍ରମେ ଅତିରିକ୍ତ ଦଳକୁ ନିୟୋଜିତ କରାଯାଉଛି । ଉପକୂଳ ସୁରକ୍ଷା ବାହିନୀ, ଭାରତୀୟ ନୌସେନାକୁ ନିୟୋଜିତ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ସେନା ଓ ବାୟୁସେନାର ସହାୟତା ନିଆଯିବ । କ୍ୟାବିନେଟ ସଚିବ ବର୍ତମାନର ସ୍ଥିତି ସହିତ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପ୍ରସ୍ତୁତି ସମୀକ୍ଷା କରିଥିଲେ । ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଭିତିଭୂମି ଏବଂ ଧନଜୀବନ ହାନି ଜନିତ କ୍ଷୟକ୍ଷତି ଏଡ଼ାଇବା ପାଇଁ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେବା ସହିତ ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଶେଷ କରି ଜୀବନ ହାନି ଏଡ଼ାଇବା ଲାଗି ସାଗର ଦ୍ୱୀପ, ଉତର ଏବଂ ଦକ୍ଷିଣ ୨୪ ପରଗଣା, ପୂର୍ବ ମେଦିନାପୁର ଆଦି ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ତୁରନ୍ତ କୂଳକୁ ଫେରାଇ ଆଣିବା ପାଇଁ ଦୁଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହି ବୈଠକରେ ସ୍ୱରାଷ୍ଟ୍ର, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ଭାରତୀୟ ପାଣିପାଗ ବିଭାଗ, ଏନଡିଆରଏଫ ଓ ଏନଡିଏମଏର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସେହିପରି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ