ବାପଝିଅକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ
ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ଥାନା ଶିଆଳିଆ-ଦୋଳପଦୀ ରାସ୍ତାର ଡାଳିମ୍ବଗଢିଆ କେନାଲ ଛକ ନିକଟରେ ଗତ ନଭେମ୍ବର ୩୦ ତାରିଖ ରାତି ୧୦ଟା ବେଳେ ବାପଝିଅଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ବନ୍ତ ପୋଲିସକୁ ସଫଳତା ମିଳିଛି । ଘଟଣା ଦିନ ଠାରୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିବା ସହ ମୋବାଇଲ ଫୋନକୁ ଟ୍ରାକିଂ କରୁଥିଲା । ରବିବାର ରାତି ୮ଟା ବେଳେ ପୋଲିସ ଘଟଣାରେ ସଂପୃକ୍ତ ଯୁବକଙ୍କୁ ଭଦ୍ରକ ଟାଉନ ଅଞ୍ଚଳ ଭିତରୁ ଗିରଫ କରି ଥାନାକୁ ଆଣିଥିଲା । ପରେ ଭଦ୍ରକ ଚରମ୍ପା ଅଞ୍ଚଳରୁ ବ୍ୟବହୃତ ବାଇକ ଓ ଘଟଣା ସ୍ଥଳ ନିକଟ ଖାଲ ଭିତରୁ ମାରଣାସ୍ତ୍ରକୁ ଜବତ କରିଛି । ଆକ୍ରମଣକାରୀର ଘର ପୁରୁଣାବଜାର ଥାନା ଅଧିନ ବାଲିପାଟଣା ହୋଇଥିବା ବେଳେ ତାର ନାମ ରାଜାରାମ ନାୟକ ବୋଲି ପୋଲିସ କହିଛି । ପ୍ରକାଶ ଥାଉକି, ଗତ ଡିସମ୍ବେର ୩୦ ତାରିଖରେ ଦୋଳପଦୀ ଗ୍ରାମର ରବିନ୍ଦ୍ର କୁମାର ସାହ ଓ ତାଙ୍କ ଝିଅ ନମିତା ଏକ ସ୍କୁଟି ଯୋଗେ କେନ୍ଦୁଆପଦା ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଡାଳିମ୍ବଗଢିଆ କେନାଲ ଛକ ନିକଟରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଗୁରୁତର ବାପଝିଅ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ଏହି ଘଟଣା ଏକ ତରଫା ପ୍ରେମ ଜନିତ ବୋଲି ଜଣାଯାଇଛି ।