ବାପା ଓ ପୁଅର କାତି ଚୋଟରେ ନାଚ ଅଧିକାରୀ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦଣ୍ଡନାଚ ପରିଚାଳନାକୁ କେନ୍ଦ୍ର କରି ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ଓ ପୁଅର କାତି ଚୋଟରେ ଦଣ୍ଡ ନାଚ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ସାରୁ ଗ୍ରାମ ଧୋବା ସାହିର ଟୁନା ସେଠି (୪୩) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ହିଞ୍ଜିଳି ଥାନା ସାରୁ ଗ୍ରାମରେ ଆରମ୍ଭ ହେବାକୁ ଥିବା ୧୩ ଦିନିଆ ଦଣ୍ଡ ନାଚ ପାଇଁ ଯାତ୍ରା ଅଧିକାରୀ ଟୁନାଙ୍କ ସହିତ ସଂପୃକ୍ତ ସାହିର କିଛି ଯୁବକଙ୍କ ସହ ମତାନ୍ତର ହୋଇଥିଲା । ପରେ କଥା କଟାକଟି ହୋଇ ଉଗ୍ରରୂପ ନେଇଥିଲା। ରବିବାର ସନ୍ଧ୍ୟାରେ ଆହତ ଟୁନା ଗ୍ରାମର ବ୍ରାହ୍ମଣ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗ୍ରାମର ସୁଶାନ୍ତ ସେଠି ଓ ତାଙ୍କ ପୁଅ ଗଙ୍ଗାଧର ସେଠି ମିଶି ଏକ ଧାରୁଆ କାତିରେ ଅତର୍କିତ ଆକ୍ରମଣ କରିଥିଲେ । ଟୁନା ଚିତ୍କାର କରିବାରୁ ଉଭୟ ଆକ୍ରମଣକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଆକ୍ରମଣକାରୀ ବାପା ଓ ପୁଅଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଥିବା ଜଣାପଡିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ