ବାପା ଚାଲିଗଲେ ଦୁର୍ଘଟଣାରେ, ମା ଚାଲିଗଲା ସାପ କାମୁଡାରେ, ୧୬ବର୍ଷର ଝିଅ କାନ୍ଧରେ ପରିବାର ବୋଝ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବାପା ଚାଲିଗଲେ ସଡକ ଦୁର୍ଘଟଣାରେ, ମା ଚାଲିଗଲା ସାପ କାମୁଡାରେ, ଏବେ ୧୬ବର୍ଷର ଝିଅ କାନ୍ଧରେ ପରିବାରର ବୋଝ । ଏହି ୧୬ବର୍ଷର ଝିଅଟି ପରର ମୁଲଲାଗି ଯାହା ଆଣୁଛନ୍ତି ସେଥିରେ ୪ଭଉଣୀଙ୍କ ସହ ବୃଦ୍ଧ ଜେଜେବାପା ଓ ଜେଜେ ମାଙ୍କ ଭରପୋଷଣ କରୁଛନ୍ତି । ବହୁ ଦୁଖଃକଷ୍ଟରେ ପରିବାରଟି କାଳାତିପାତ କରୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ଗ୍ରାମର କଇଥ ଟିକିରି ସାହିରେ । ଗ୍ରାମର ରତିକାନ୍ତ ହୋ ତାଙ୍କ ସ୍ତ୍ରୀ ଡଲି ହୋଙ୍କ ୫ଝିଅ ଓ ବୃଦ୍ଧ ପିତାମାତାଙ୍କୁ ନେଇ ଚାଲୁଥିଲା ସଂସାର । ୨୦୧୭ରେ ପରିବାରଟି ଉପରେ କଳାବାଦଲ ଛାଇ ହୋଇ ଆସିଥିଲା । ୨୦୧୭ରେ ରତିକାନ୍ତ ଏକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବାବେଳେ ୨୦୨୨ରେ ମା ଡଲି ହୋ ସର୍ପାଘାତରେ ଆରପାରିକୁ ଚାଲିଗଲେ । ଏବେ ଘରେ ମାଟ୍ରିକ ଫେଲ ହୋଇ ଘରେ ରହିଥିବା ୧୬ବର୍ଷୀୟ ଝିଅ ବର୍ଷା ଉପରେ ପରିବାରର ସମ୍ପୁର୍ଣ୍ଣ ବୋଝ ଲଦି ହୋଇପଡିଛି । ସେ ମୁଲ ମଜୁରୀ ଲାଗି ଯାହା ପାଉଛି ସେଇଥିରେ ପରିବାରଟି ଚଳାଇଛି । ମଝିଆଁ ଝିଅ ଆରତୀ ଓ ସଶ୍ମିତା ନିକଟସ୍ଥ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ଆଉ ଜଣେ ଝିଅ ମାମୁନି ହୋ ତୃତୀୟ ଓ ସାନଝିଅ ଲକ୍ଷ୍ମୀ ପ୍ରଥମ ଶ୍ରେଣୀରେ ପଢ଼ୁଛି । ଘେ;ର ବୃଦ୍ଧ ଜେଜେବାପା ୭୮ବର୍ଷୀୟ ଚୁଙ୍ଗୀ ହୋ ଏବଂ ଜେଜେମା ତୁଳସୀ ହୋ ବି ଅଛନ୍ତି । ସେମାନଙ୍କ ବୟସାଧିକ କାରଣରୁ ସେମାନେ ରୋଜଗାର କରିବାରେ ଅକ୍ଷମ ହୋଇ ପଡିଛନ୍ତି । ସରକାର ଗରିବ ଅସହାୟ ଆଦିବାସୀ ଛୁଆମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେବି ଏହି ଛୋଟ ଛୋଟ ଛୁଆମାନଙ୍କ ପାଇଁ କୌଣସି ବ୍ୟବସ୍ଥ କରାଯାଇ ପାରିନାହିଁ । କେବଳ ସରକାରଙ୍କ ତରଫରୁ ଦିଆଯାଉଥିବା ରେସନ ଚାଉଳ ଗଣ୍ଡିଏ ପାଉଥିବାବେଳେ ବୃଦ୍ଧ ଜେଜେବାପା ଜେଜେମାଙ୍କ ଭତ୍ତା ତାଙ୍କ ଔଷଧ ଖର୍ଚ୍ଚକୁ ନିଅଣ୍ଟ ହେଉଛି । ଏପରି ଅବସ୍ଥାରେ ଉକ୍ତ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାସହିତ ଚାରୋଟି ଅନାଥ ଶିଶୁଙ୍କୁ ପାଠ ପଢ଼ାଇ ମଣିଷ କରିବାର ଦାୟିତ୍ୱ ପ୍ରଶାସନ ନେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ବିଡିଓଙ୍କୁ କହିବି ସେ ତଦନ୍ତ କରି ରିପୋର୍ଟ ଦେବାପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।