ବାପା, ପୁଅଙ୍କ ଆକ୍ରମଣରେ ଯୁବକ ଗୁରୁତର, ୨ ପୃଥକ ମାମଲା ରୁଜୁ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୁଧବାର ରାତିରେ ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି । ବାପା ଓ ପୁଅଙ୍କ ମିଳିତ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ନରସିଂହ ପଣ୍ଡା(୩୭) । ଆହତ ନରସିଂହଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନା କେସ ନଂ- ୧୫୦/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୁତ୍ରରୁ ପ୍ରକାଶ ।ହିଞ୍ଜିଳି ଥାନା ବାଦିଆମ୍ବଗାଁର ନରସିଂହ ବୁଧବାର ରାତିରେ ଘରେ ଥିବା ବେଳେ ପୂର୍ବ ଶତୃତାକୁ କେନ୍ଦ୍ର କରି ସେହି ଗ୍ରାମର ପୁର୍ଣ୍ଣଚନ୍ଦ୍ର ସାହୁ ଓ ତାଙ୍କ ବାପା ରାମଚନ୍ଦ୍ର ସାହୁ ନରସିଂହଙ୍କ ଘରେ ପଶି ଘରର ଆସବାବ ପତ୍ର ଭଙ୍ଗାରୁଜା କରିବା ସହ କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ନରସିଂହ ଗୁରୁତର ଆହତ ହୋଇ ଜୀବନ ଭୟରେ ଘରୁ ବାହାରକୁ ଦୌଡି ପଳାଇଥିଲେ । ପରେ ବାପା ଓ ପୁଅ ମିଶି ନରସିଂହଙ୍କ ଘରେ ଥିବା ଏକ କାଠ ବାକ୍ସରୁ ୧୦ ହଜାର ଟଙ୍କା ଲୁଟି ନେଇ ଯାଇଥିଲେ ବୋଲି ନରସିଂହ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୋ ପୁଅ ପୁର୍ଣ୍ଣଚନ୍ଦ୍ର ସାହୁକୁ ଆମ ଗ୍ରାମର ନରସିଂହ ପଣ୍ଡା ପୂର୍ବ ଶତୃତାକୁ କେନ୍ଦ୍ର କରି ମାଡ ମାରିବା ସହ ଚେବାଇ ଆଙ୍ଗୁଠି କ୍ଷତବିକ୍ଷତ କରିବା ସହ ହତ୍ୟା ଧମକ ଦେଇଛି ବୋଲି ରାମଚନ୍ଦ୍ରଙ୍କ ସ୍ତ୍ରୀ ଶଶି ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଶଶିଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନା କେସ ନଂ- ୧୫୨/୨୩ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।