ବାପ ଘରୁକୁ ଆସିଲେ ମା’
ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିର ଠାରୁ ଦେଶୀ ବେହେରାଙ୍କ ଘର ପର୍ଯ୍ୟନ୍ତ ୧୪୪
ବ୍ରହ୍ମପୁର, (ଅନିଲ କୁମାର): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ସାତ ଦିନିଆ ଯାତ୍ରା ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ଠାକୁରାଣୀଙ୍କ ତଥାକଥିତ ପିତା ଦେଶୀ ବେହେରା (ପି. ଦୂର୍ଗାପ୍ରସାଦ) ଏବଂ ତାଙ୍କ ପତ୍ନୀ ତଥା ଠାକୁରାଣୀଙ୍କ ମା ଦେବକୀ ସ୍ଥାୟୀ ମନ୍ଦିରକୁ ଯାଇ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ୭ ଦିନ ପାଇଁ ନିଜ ଘରକୁ ଆଣିଛନ୍ତି । ଏହି ଯାତ୍ରାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନଗହଳିକୁ ଏଡାଇବା ପାଇଁ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିର ଠାରୁ ଅସ୍ଥାୟୀ ମନ୍ଦିର ଦେଶୀ ବେହେରାଙ୍କ ଘର ପର୍ଯ୍ୟନ୍ତ ଆଜି ଠାରୁ ୧୪୪ ଧାରା ଜାରୀ କରାଯାଇଛି । ଶ୍ରଦ୍ଧାଳୁ ମାନେ ଠାକୁରାଣୀଙ୍କୁ କେବଳ ଦର୍ଶନ କରିପାରିବେ । ପୂଜାର୍ଚ୍ଚନା କରିପାରିବେ ନାହିଁ । ଠାକୁରାଣୀଙ୍କ ମାତା ଫୁଲ ଚାଙ୍ଗୁଡ଼ାରେ ମାଙ୍କ ଆଜ୍ଞାମାଳ ପଟୁଆରରେ ନେଇ ଆସି ଅସ୍ଥାୟୀ ମନ୍ଦିରରେ ଘଟ ମଧ୍ୟରେ ସ୍ଥାପନା ହୋଇଛି । ବ୍ରହ୍ମପୁର ଏସ୍ପି ପିନାକି ମିଶ୍ରଙ୍କ ନେତୃତ୍ୱରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୪ଜଣ ଡିଏସ୍ପି, ୧୦ ଇନ୍ସ୍ପେକ୍ଟର, ୨୦ ଏସ୍ଆଇ, ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଥିଲେ ।