ବାବାଜୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ପ୍ରଶାସନ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତସ୍ଥିତ କୁଣ୍ଡେଶ୍ୱର ଗ୍ରାମର ବାବାଜୀ ଚରଣ ଲେଙ୍କାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ପ୍ରଶାସନ । ଏହାସହିତ ବିଭିନ୍ନ ମହଲରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଥିବା ଜଣାଯାଇଛି । ସୂଚନା ମୁତାବକ ଦେଢମାସ ତେଳେ କୁଣ୍ଡେଶ୍ୱର ଗ୍ରାମର ବାବାଜୀ ଚରଣ ଲେଙ୍କାଙ୍କ ହଠାତ ମୁଣ୍ଡ ବ୍ୟଥା ହେବା ସହିତ ଦେହ ଅସୁସ୍ଥ ହୋଇପଡିଥିଲା । ଚିକିତ୍ସିତ ହେବା ପାଇଁ ବାବାଜୀ ନିକଟସ୍ଥ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ମେଡିସିନ ଆଣି ଖାଇଥିଲେ । ହେଲେ କିଛି ପରିବର୍ତନ ନ ହେବାରୁ ପୂର୍ଣ୍ଣବାର ବାଲିକୁଦା ଡାକ୍ତରଙ୍କ ପରାମର୍ଶ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଆଣି ଖାଇଥିଲେ ବି ମୁଣ୍ଡ ବ୍ୟଥା କମି ନଥିଲା । ପରେ ବାବାଜୀ ଗ୍ରାମବାସୀଙ୍କ ଆର୍ଥିକ ସହାୟତାରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ । ତାଙ୍କ ମୁଣ୍ଡ ଉପରେ ଫୁଲା ରହିଥିବାରୁ ସେଠାରେ ଡାକ୍ତର ରକ୍ତ ପରୀକ୍ଷା କରିବା ପାଇଁ ଲ୍ୟାବକୁ ପଠାଇଥିଲେ । ଲ୍ୟାବରେ ବାବାଜୀଙ୍କ ଠାରୁ ପରିକ୍ଷା ପାଇଁ ରକ୍ତ ସଂଗ୍ରହ କରାଯାଇଥିଲା । ହେଲେ ବାବାଜୀଙ୍କ ପାଖରେ କିଛି ଆର୍ଥିକ ସମ୍ବଳ ନଥିବାରୁ ବାବାଜୀ ମେଡିକାଲରୁ ଫେରି ଆସି ଘରେ ପଡି ରହିଥିଲେ । ମୁଣ୍ଡରେ ଯନ୍ତ୍ରଣା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଯନ୍ତ୍ରଣାରେ ଛଟପଟ ହେବା ବ୍ୟତିତ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିଲା । ଅନ୍ୟପଟରେ ବାବାଜୀ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ କାମ ଧନ୍ଦା ବନ୍ଦ ହୋଇଯିବାରୁ ଦିନକୁ ଦିନ ଘରର ଆର୍ଥିକ ସ୍ଥିତ ମଧ୍ୟ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଲା । ଦିନକୁ ଦୁଇ ମୁଠା ଖାଇବା ମଧ୍ୟ ପରିବାର ପାଇଁ କଷ୍ଟ ସାଧ୍ୟ ହୋଇପଡିଥିଲା । ମୁଣ୍ଡ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଚିକିତ୍ସା ଏକମାତ୍ର ଉପାୟ ହୋଇଥିବା ବେଳେ ଅର୍ଥ ବାଧକ ସାଜିଥିବା ବାବାଜୀଙ୍କ ପତ୍ନୀ ଦୁଃଖଭରା କଣ୍ଠରେ ପ୍ରକାଶ କରିବା ସହିତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଥିଲେ । ଉକ୍ତ ଘଟଣାକୁ ନେଇ ଗଣାମଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାବାଜୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ହଜାର ଟଙ୍କା ଓ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଚିକିତ୍ସା ପାଇଁ ବଡ ମେଡିକାଲକୁ ନିଆଯାଇଛି । ଏପରିକି ଜଗତସିଂହପୁର ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ ପକ୍ଷରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଅଲଣା ଗ୍ରାମ ପଂଚାୟତ କଂଗ୍ରେସ ଦଳ ତରଫରୁ ସୁଶାନ୍ତ ସାହୁ, ସୌମ୍ୟରଂଜନ ମହାନ୍ତି, ସୁବାସ ମହାନ୍ତି, ଜତିନ୍ଦ୍ରନାଥ ମହାନ୍ତି, ଦିବାକର ଭୋଇ, ସୁଧାଂଶୁ ମୁଦୁଲି, ସୁଦର୍ଶନ ପରିଡା ପ୍ରମୁଖ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେହିପରି କୋରୁଅ ପଂଚାୟତର ସମାଜସେବୀ ରାକେଶ ଜେନା, ଶିଖରପଂଚାୟତର ସମାଜସେବୀ ମିଲନ ବିଶ୍ୱାଳ, ଜ୍ୟୋତିଷ ବିଶ୍ୱାଳ, ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଂଯୋଜକ ସୁନିଲ ମାଟିଆ, ସମାଜସେବୀ ରଶ୍ମୀରଂଜନ ତ୍ରିପାଠୀ, ସୌମ୍ୟସଂଜୀବ ଦାସ ପ୍ରମୁଖ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ବାବାଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରକାଶ ଥାଉକି ବାବାଜୀଙ୍କ ପରିବାର କହିଲେ ପତ୍ନୀ ରୁନୁ ଲେଙ୍କା ଓ ଏକ ମାତ୍ର ପୁଅ ସନାତନ ଲେଙ୍କା । ବାବାଜୀ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ମୁଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ବାବାଜୀଙ୍କର ଏପରି ଦୟନୀୟ ଅବସ୍ଥା ଦେଖି ତାଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ