ବାବା ଐଶ୍ୱାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରସିଦ୍ଧ ଚଇତି ପର୍ବ ନେଇ ଉତ୍ସବ ମୁଖର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଗଢ ଗ୍ରାମର ବାବା ଐଶ୍ୱାନେଶ୍ୱର ପୀଠରେ ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଚଇତି ପର୍ବ ମହା ସମାରୋହରେ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଏପ୍ରିଲ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଚଇତି ପର୍ବ ରୀତିନୀତି ଅନୁସାରେ ପାଳନ କରାଯାଇଥାଏ ।ପ୍ରଥମ ଦିନ ୧୧ ତାରିଖରେ ମଧ୍ୟ ରାତ୍ରରେ ଶୁଭ ଘଟ,୧୨ ତାରିଖ ଦିନ ରାତି ୧୧ଟାରେ ଯାତ୍ରା ଘଟ ଏବଂ ଭୋର ୪ଟା ସମୟରେ କାଳିକା ଘଟ , ୧୩ ତାରିଖ ଦିନ ଡାଳିଭଙ୍ଗା ଏବଂ ରାତ୍ରରେ କାଳିକା ଘଟ ଏବଂ ଅନ୍ତିମ ୧୪ ତାରିଖ ଦିନଭୋର ସମୟରେ ଖଡଖାଇ ନଦୀରୁ ଗରିଆ ଭାର ଅଣାଯାଇଥିଲା ।ଆଜି ବଡ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ବାବା ଐଶ୍ୱାନେଶ୍ୱରଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ଆଜି ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ରାଇରଙ୍ଗପୁର ସହର ଓ ଗଢ ଗ୍ରାମ । ମାନସିକଧାରୀ ପାଟୁଆ ମାନେ ବିଭିନ୍ନ ଜାତିର ଲୋକେ ବହୁ ଦୂରଦୂରାନ୍ତରୁ ଆସି ବାବାଙ୍କ ଶରଣରେ ଥିଲେ । ମାନସିକଧାରୀ ପାଟୁଆ ମାନେ ନଦୀକୂଳକୁ ଯାଇ ପୂଜାର୍ଚ୍ଚନା କରିବା ସହଵେତ ପଇତା ଧାରଣ କରି ପୂଜାର୍ଚ୍ଚନା କରିଥିଲେ ।ମୁଖ୍ୟ ପାଟଭକ୍ତାଙ୍କ ପୂଜାର୍ଚ୍ଚନା ପରେ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।ପରେ ମୁଖ୍ୟ ପାଟଭକ୍ତାଙ୍କୁ ଖଣ୍ଡା ପାଖରେ ମନ୍ଦିରକୁ ଅଣାଯାଇଥିଲା ।ପାଟ ଭକ୍ତାମାନେ ବିଭିନ୍ନ ପ୍ରକାରର ହୋଇଥିଲି କଣ୍ଟା ପାଟୁଆ,ରଜନୀ ଫୋଡ଼ା, ଖଣ୍ଡା ପାଟୁଆ, ବେତ ପାଟୁଆ ଆଦି ।ପରେ ସଂଧ୍ୟାରେ ଶୁଭ ଉଡାଖୁଣ୍ଟିରେ ପାଟଭକ୍ତାମାନେ ଉଡିଥିଲେ ଯାହାକୁ ଦେଖିବାକୁ ସୁଦୂର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ରାଇରଙ୍ଗପୁର ଆଖପାଖ ଅଂଚଳରୂ ହଜାର ହଜାର ଭକ୍ତ ଛୁଟି ଆସିଥିଲେ ।ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଅଛି ଯେ ବାବାଙ୍କ ପାଖରେ ଶରଣ ପଶିଲେ ବାବା ସମସ୍ତଙ୍କର ମନବାଞ୍ଛା ପୂରଣ କରନ୍ତି । ରାଇରଙ୍ଗପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପ୍ରତି କଡ଼ା ନଜରରଖା ଯାଇଥିଲା ।ଉଡାଯାତ୍ରା କମିଟି ତରଫରୁ ଲଡୁ ବଣ୍ଟନ କରାଯାଇଥିଲା । ଚାରିଦିନଧରି ସାଂସ୍କୃତିକ ମେଲୋଡି, ଛଉ, ନୃତ୍ୟ, ଘୋଡ଼ା ନାଚ, ବାବୁଲ ନାଚ, ଓ ଅପେରା କାର୍ଯ୍ୟକ୍ରମ କରାଯାଇଥିଲା I ଉଡାଯାତ୍ରା କମିଟି ତରଫରୁ ସଭାପତି କାଳିଚରଣ ସାହୁ, ସଂପାଦକ ବୁବୁନ ମହାନ୍ତି, ଅଜୟ ମହାନ୍ତି, ବାବୁ ଡୋଗରା, ସଂଜିତ ମହାନ୍ତି, ନୀଳମାଧବ ସେଠୀ,କେଶବ ବେହେରା,ଅନନ୍ତ ବେହାରା ଓ କମିଟି ସଦସ୍ୟ ବୃନ୍ଦ ପବିତ୍ର ଉଡାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବାରୁ ଗଢ ଗ୍ରାମବାସୀ ସମେତ ରାଇରଙ୍ଗପୁର ସହରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ।


