ବାବୁଲା ବେହେରା ହତ୍ୟା ଘଟଣା : ଜଣେ ଅଭିଯୁକ୍ତକୁ ଗିରଫ୍ କଲା ଛତ୍ରପୁର ପୋଲିସ୍
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ବିଦ୍ୟାଧର ନଗର ସାହିର ବାବୁଲା ବେହେରାଙ୍କ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ୍ କରି ପୋଲିସ୍ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ପାଲିଆ ଛତ୍ରପୁର ଗ୍ରାମର ଏସ୍. କ୍ରିଷ୍ଣା ରାଓ ବୋଲି ବୋଲି ଜଣାପଡିଛି । ସୂଚନା ଥାଉ କି, ଗତ ୧୪ ତାରିଖ ସକାଳେ ଜାତୀୟ ରାଜପଥ କାଳୀ ଢାବା ନିକଟ କାଳୀ ମନ୍ଦିର ସମ୍ମୁଖରେ ବାବୁଲା ବେହେରାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପି.କେ ଦଲେଇ, ଛତ୍ରପୁର ଏସଡିିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ସବଇନିସପେକ୍ଟର ସିଲୁ ଧଳ ଘଟଣା ସ୍ଥଳରେ ପହଂଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ପରେ ସାଇଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ଅଧିକ ଛାନଭିନ ଆରମ୍ଭ କରାଯାଇଥିଲା । ଏନେଇ ଛତ୍ରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ୧୯/୨୨ ରୁଜୁ କରି ବାବୁଲାର ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲେ । ପୋଲିସ୍ ସେହି ଦିନ ଠାରୁ ବିଭିନ୍ନ ଅଂଚଳରେ ଏହି ଘଟଣା ନେଇ ଅନୁସନ୍ଧାନ ଜାରି ରଖିଥିବା ବେଳେ ଘଟଣାଟି ହତ୍ୟାକାଣ୍ଡ ଆଡକୁ ମୁହାଁଇଥିଲା । ଯାହା ଫଳରେ ଅପମୃତ୍ୟୁ ମାମଲାରୁ ଏହା ଏକ ହତ୍ୟା ମାମଲାରେ ୩୩୦/୨୨ କେସ ରୁଜୁ ହୋଇ ତଦନ୍ତ ଜାରି ରହିଥିଲା । ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନଙ୍କ ନେତୃତ୍ୱରେ ଘଟଣାର ଅଧିକ ତଦନ୍ତ କରାଯାଇ ଘଟଣାର ପର୍ଦ୍ଦାଫାସ କରାଯାଇଛି । ଏହି ଘଟଣାରେ ଜଡିତ ଥିବା ପାଲିଆ ଛତ୍ରପୁର ଗ୍ରାମର ଏସ. କ୍ରିଷ୍ଣା ରାଓଙ୍କୁ ଆଜି ଗିରଫ୍ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ୍ କହିବା ଅନୁସାରେ ଏସ୍. କ୍ରିଷ୍ଣାଙ୍କ ପାଖରେ ଥିବା ଏକ ବାଇକକୁ ସୋରୁମ ରେ ବିକ୍ରି କରାଯାଇ ମିଳିଥିବା ଟଙ୍କାରେ ଗତ ୧୩ ତାରିଖ ଦିନ ବାବୁଲା ବେହେରା ଓ ଏସ୍. କ୍ରିଷ୍ଣା ରାଓ ଦୁହେଁ ମଦ ପିଇଥିଲେ । ବାବୁଲା ବେହେରା ନିଶାରେ ଜୁଡୁବୁଡୁ ହୋଇ ଦଣ୍ଡକାଳୀ ମନ୍ଦିର ସମ୍ମୁଖରେ ଶୋଇଥିବା ବେଳେ ଏସ. କ୍ରିଷ୍ଣା କାଳୀ ଢାବାରୁ ଖାଦ୍ୟ ଆଣିବା ପାଇଁ ଯାଇଥିଲେ । ଖାଦ୍ୟ ଖାଇବା ପାଇଁ ବାବୁଲା ବେହେରାଙ୍କୁ ଉଠାଇବାରୁ ବାବୁଲା ବେହେରା ଏସ୍. କ୍ରିଷ୍ଣାଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଏସ. କ୍ରିଷ୍ଣା ବାବୁଲା ବେହେରାଙ୍କୁ ଗଳା ଚିପି ହତ୍ୟା କରିଥିଲା ବୋଲି ଛତ୍ରପୁର ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ।