ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଗତ ୨୦୧୯ମସିହା ଜୁଲାଇ ୧୩ତାରିଖ ସନ୍ଧ୍ୟାରେ ଧର୍ମରକ୍ଷାସେନାର ଜିଲ୍ଲା ଆବାହକ ବିବେକାନନ୍ଦ ମହାରଣା ଓରଫ ବାବୁଲି ମହାରଣା ନିଜ ଘର ରାମନଗରପାଟଣାରୁ ଏକ ବାଇକ ଯୋଗେ ତିନିମୁହାଣିସ୍ଥିତ ଶ୍ରୀରାମମନ୍ଦିରକୁ ଆସୁଥିବା ସମୟରେ ଗୁଲନଗର ଚଟିପୋଲ ନିକଟରେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ସେହି ଘଟଣାରେ ଫେରାରଥିବା ଅଭିଯୁକ୍ତ ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ସେକ ସର୍ଫରାଜକୁ ଆଜି ଭୂବନେଶ୍ୱରସ୍ଥିତ ବିମାନବନ୍ଦରରୁ ଗିରଫ କରାଯାଇ କେନ୍ଦ୍ରାପଡାକୁ ଅଣାଯାଇଛି । ଜିଲ୍ଲା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ପୋଲିସ ଭୂବନେଶ୍ୱରରୁ ସେକ ସର୍ଫରାଜକୁ କେନ୍ଦ୍ରାପଡା ଆଣିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଛି କି ନାହିଁ ତାହା ଜାଣିବାକୁ ତାର ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି । ରିପୋର୍ଟ ନେଗେଟିଭ ଆସିଲେ ତାକୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯିବ ନତୁବା ପଜିଟିଭ ଆସିଲେ ତାକୁ ଚିକିତ୍ସା ପାଇଁ କୋଭିଡ ହସପିଟାଲକୁ ପଠାଯିବ ବୋଲି ଶ୍ରୀ ମଳ୍ଲିକ ସୂଚନା ଦେଇଛନ୍ତି ।


