ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ଡ୍ରଗ୍ସ୍ କାରବାରର ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ : କଳିଙ୍ଗ ସେନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ମୁଖ୍ୟ ବିଷୟ ବସ୍ତୁ ପାଲଟିଥିବା ଓଡ଼ିଅ । ଚଳଚ୍ଚିତ୍ର ଓ ସଙ୍ଗୀତ ଜଗତ ସହିତ ସମ୍ପୃକ୍ତ ଓଡ଼ିଶାର ଦୁଇଟି ପ୍ରମୁଖ ପରିବାର ତଥା ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ନିମନ୍ତେ ବିଶେଷ ଭାବେ ପରିଚିତ ସେମାନଙ୍କର ଦୁଇ କଳାକାର ସନ୍ତାନଙ୍କର ପାରିବାରିକ କଳହ ପୋଲିସ ତଦନ୍ତ ପରେ ସମୟ କ୍ରମେ ସତ କ’ଣ ତାହା ନିଶ୍ଚୟ ଲୋକ ଲୋଚନକୁ ଆସିବ । କିନ୍ତୁ ବର୍ତ୍ତମାନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଆଲୋଚନାରୁ ଯାହା ଜଣାଯାଉଛି, ଏହି ଘଟଣା ପଛରେ ଦୁଇଟି ପ୍ରମୁଖ କାରଣ ଏକାସାଙ୍ଗରେ ଅନେକ ପ୍ରକାରର ବିପଦଜନକ ନିଶାଦ୍ରବ୍ୟର ବହୁଳ ସେବନ ଏବଂ ଅବୈଧ ସମ୍ପର୍କ, ଯାହା ଆଜି ଓଡ଼ିଶାରେ ଯୁବ ପିଢ଼ିଙ୍କୁ ଗଭୀର ମାନସିକ ଆଘାତ ଦେଇଛି । କାରଣ ଆଜିକାଲିର ଯୁବ ପିଢ଼ି ଚଳଚ୍ଚିତ୍ର ଜଗତର ଅଭିନେତା ଅଭିନେତ୍ରୀଙ୍କୁ ଅନେକଟା ଅନୁସରଣ କରିଥାନ୍ତି । ଏହି ପ୍ରସଙ୍ଗରେ, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ତଥା ଆଲୋଚନା ପର୍ଯ୍ୟାଲୋଚନାରୁ ଧିରେ ଧିରେ ସ୍ପଷ୍ଟ ସୁଚନା ମିଳୁଛି ଯେ, ଏହି ଦୁର୍ଭାଗ୍ୟ ଜନକ ପାରିବାରିକ ଅଶାନ୍ତି ଘଟଣା ପଛରେ ବିପଦଜନକ ନିଶା ଦ୍ରବ୍ୟର ବହୁଳ ସେବନ ହିଁ ମୁଖ୍ୟ କାରଣ । ବିଗତ ଦିନରେ, ଏଭଳି ବିପଦଜନକ ନିଶାଦ୍ରବ୍ୟର ଅତ୍ୟଧିକ ସେବନ ହିଁ ଆମମାନଙ୍କଠାରୁ, ବଲିଉଡ ଜଗତରେ ଅଳ୍ପ ଦିନରେ ବିଶେଷ ପ୍ରସିଦ୍ଧି ଲାଭ କରିଥିବା ଜଣେ ଦକ୍ଷ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଅକାଳରେ ଛଡ଼େଇ ନେଇଥିଲା । ସେସମୟରେ ପୋଲିସ ତଦନ୍ତରୁ ସ୍ପଷ୍ଟ ହେଇଥିଲା ଯେ, ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଯଥେଷ୍ଟ ସ୍ୱଚ୍ଛଳ ହେଇଥିଲେ ମଧ୍ୟ, ଅତ୍ୟଧିକ ନିଶାଦ୍ରବ୍ୟ ସେବନ ହିଁ ସୁଶାନ୍ତ ସିଂହ ରାଜପୁତଙ୍କୁ ମାନସିକ ଭାବେ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଥିଲା ଏବଂ ସେ ଆତ୍ମହତ୍ୟା ଭଳି ଦୁଃଖଦ ରାସ୍ତା ବାଛି ନେଇଥିଲେ । ଏକଥା ମଧ୍ୟ ସେତେବେଳେ ତଦନ୍ତରୁ ପ୍ରମାଣିତ ହୋଇଥିଲା ଓ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମୁଖ୍ୟ ଶିରୋନାମା ପାଲଟିଥିଲା ଯେ ସେହି ସବୁ ବିପଦଜନକ ନିଶାଦ୍ରବ୍ୟର ଓଡିଶା ସହିତ ଘନିଷ୍ଠ ସମ୍ପର୍କ ଥିଲା ଏବଂ ଓଡିଶା ବାହାରେ ଓଡିଶା ନିଶାଦ୍ରବ୍ୟର ମଧ୍ୟ ବିଶେଷ ଚାହିଦା ଥିଲା । ଏକଥା ମଧ୍ୟ ସତ ଯେ, ଆମ ରାଜ୍ୟର ଦକ୍ଷ ପୋଲିସ ବିଭାଗ, ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନିଶାଦ୍ରବ୍ୟ ଚୋରା ଚାଲାଣ ବେଳେ, ସବୁବେଳେ ସେଗୁଡ଼ିକୁ ଜବତ କରି ଏବଂ ସମ୍ପୃକ୍ତ ଅପରାଧୀମାନଙ୍କୁ ଗିରଫ କରି ନିଜର ଦକ୍ଷତାକୁ ପ୍ରମାଣିତ କରିପାରିଛି । ଓଡ଼ିଶାରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଦୁଃଖଦ ଘଟଣାର ପୁନରାବୃତ୍ତି ନହେବ, ସେଥିନିମନ୍ତେ ଆମ ଦକ୍ଷ ପୋଲିସ ବିଭାଗ ଆହୁରି ଯତ୍ନବାନ୍ ହେବା ଉଚିତ । ଏହା ସହିତ ଆଜି ଦୁର୍ଦ୍ଦିନରେ ଗତି କରୁଥିବା ଆମ ଓଡିଆ ଚଳଚ୍ଚିତ୍ର ଜଗତ ସହିତ ସମ୍ପୃକ୍ତ ଅନେକ ବ୍ୟକ୍ତି ବିଶେଷଙ୍କର ବହୁମାତ୍ରାରେ ନିଶାଦ୍ରବ୍ୟ ସେବନ ଏବଂ ଏହାର ଅବୈଧ କାରବାର ସହିତ ସମ୍ପୃକ୍ତି ବିଷୟଟିକୁ ଗୁରୁତ୍ୱର ସହିତ ତଦନ୍ତ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି । ସମ୍ପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରି, ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱର୍ଣ୍ଣିମ ଗୌରବ ଫେରାଇ ଆଣିବାକୁ ଅନୁରୋଧ କରୁଛୁ । ଏଥିସହିତ ବାବୁସାନଙ୍କ ଧର୍ମପତ୍ନୀ ତୃପ୍ତି ଶତପଥି ବିଭିନ୍ନ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟାରେ ଡ୍ରଗ୍ସ୍, ଗଞ୍ଜେଇ, ଚରସ୍ ବାବୁସାନ୍ ବ୍ୟବହାର କରନ୍ତି ବୋଲି କହିଛନ୍ତି । ତେଣୁ ପୋଲିସ ପ୍ରଶାସନ ବାବୁସାନ୍ ଏବଂ ପ୍ରକୃତି ମିଶ୍ରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରି ମେଡିକାଲ୍ ଟେଷ୍ଟ କରିବା ସହିତ ଏମାନଙ୍କୁ ନିଶାଦ୍ରବ୍ୟ କେଉଁର୍ କେଉଁମାନେ ଯୋଗାଉଛନ୍ତି, ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କଳିଙ୍ଗ ସେନା ପକ୍ଷରୁ ଆଜି ଖାରବେଳନଗର ଥାନାରେ ସେନା ସୁପ୍ରିମୋ ହେମନ୍ତ ରଥ, ସାଧାରଣ ସଂପାଦକ ବିଜୟରାଜ, ଇଂ. ମନୋଜ ସାମନ୍ତ ରାୟ, ଇଂ ମନୋଜ ନାୟକ, ଅବଦୁଲ କୟୁମ୍ ଖାନ୍,ପାର୍ଥସାରଥୀ ତ୍ରିପାଠୀ,ରଞ୍ଜିତ୍ ସାମଲ ପ୍ରମୁଖ ଏତାଲା ପ୍ରଦାନ କରିଥିଲେ ।