ବାବ୍ରୀ ମସ୍ଜିଦ୍ ଭଙ୍ଗକାରୀଙ୍କୁ ଦଣ୍ଡ ଦାବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବାବ୍ରୀ ମସଜିଦ ଭଙ୍ଗକାରୀଙ୍କୁ ଖୁବଶୀଘ୍ର ଦଣ୍ଡ ଦାବୀ କରି ସିପିଆଇ ଲିବରସେସନ କମିଟି ପକ୍ଷରୁ ଭୁବନେଶ୍ୱରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୧୯୯୨ ମସିିହା ୬ ଡ଼ିସେମ୍ବରରେ ଉନ୍ମାଦ ବିଜେପି ଓ ଆର.ଏସ୍.ଏସ୍ କର୍ମୀଙ୍କ ଦ୍ୱାରା ବାବ୍ରୀ ମସ୍ଜିଦ୍ ଭଙ୍ଗା ଯାଇଥିଲା । ଏହା ଆମ ଦେଶର ଧର୍ମ ନିରପେକ୍ଷ ଛବି ଉପରେ ଗଭୀର ଆଘାତ ଆଣିଛି । ୨୭ ବର୍ଷ ପରେ ନଭେମ୍ବର ୯, ୨୦୧୯ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ରାୟରେ ସ୍ପଷ୍ଟ କୁହାଯାଇଛି ଯେ, ବାବ୍ରୀ ମସ୍ଜିଦ୍କୁ ବେଆଇନ୍ ଭାବେ ଭଙ୍ଗାଯିବା ଏକ ଅପରାଧିକ କାର୍ଯ୍ୟ । ଶାନ୍ତିପ୍ରିୟ, ସାମ୍ପ୍ରଦାୟିକ ସଦ୍ଭାବ ସମ୍ପନ୍ନ ମଣିିଷ ଏଭଳି ବିଭେଦକାରୀ ଶକ୍ତିଙ୍କ ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ଦରକାର । ୨୭ ବର୍ଷ ପରେ ବାବ୍ରୀ ମସ୍ଜିଦ୍କୁ ଭାଙ୍ଗିଥିବା ଅପରାଧିଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ନ ମିଳିବା ଅତ୍ୟନ୍ତ ଲଜ୍ଜାର କଥା । ଏହି ଘଟଣା ପରେ ଦେଶରେ ଅନେକ ଦଙ୍ଗା ହୋଇଛି । ଯାହାର ଫଳସ୍ୱରୂପ ଅସଂଖ୍ୟ ଲୋକ ମୃତ୍ୟୁବରଣ କରିବା ସହ ଆକଳନ ଧନସମ୍ପତ୍ତି ନଷ୍ଟ ହୋଇଛି । ଆମ ଦେଶ ଭଳି ଧର୍ମନିରପେକ୍ଷ ଦେଶରେ ଆଉ ଡ଼େରି ନ କରି ବାବ୍ରୀ ମସ୍ଜିଦ୍ ଭଙ୍ଗାରେ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ କଠିନ ଦଣ୍ଡ ମିଳିବା ଦରକାର । ଏହି କାର୍ଯ୍ୟରେ କେଉଁମାନେ ଜଡ଼ିତ ତାହା ସାରା ଦେଶ ଜାଣେ । ଏଭଳି ଅନେକ ଲୋକ ଅଛନ୍ତି ଯାହାଙ୍କ ନାମ ଚାର୍ଜସିଟ୍ରୁ କାଟି ଦିଆଯାଇଥିଲା । ଏପରିକି ଏଥିରେ ସମ୍ପୃକ୍ତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ନାଁ ମଧ୍ୟ ଚାର୍ଜସିଟ୍ରେ ନଥିବା ଆଶ୍ଚର୍ଯ୍ୟର କଥା । କିନ୍ତୁ ପରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ପୁନର୍ବାର ଅନ୍ୟମାନଙ୍କ ସହ ତାଙ୍କ ନାମ ପୂର୍ବ ଭଳି ରଖିଛନ୍ତିି ଭାଜପା ସାଂସଦ ସାକ୍ଷୀ ମହାରାଜ ମଧ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଏବଂ ନାଥୁରାମ ଗଡ଼ସେଙ୍କୁ ପୂଜା କରୁଥିବା ସାଂସଦ ପ୍ରଜ୍ଞା ଠାକୁର ମଧ୍ୟ ଏଥିରେ ନିଜେ ସମ୍ପୃକ୍ତ ବୋଲି କହିଛନ୍ତି । ନ୍ୟାୟ ଦୃଷ୍ଟିରୁ ଏହି ଦୁଇ ସାଂସଦଙ୍କୁ ତୁରନ୍ତ ପାର୍ଲାମେଣ୍ଟରୁ ବହିଷ୍କାର କରିବା ଦରକାର । ଏଭଳି ପରିସ୍ଥିତିରେ ଭାରତର ଧର୍ମନିରପେକ୍ଷତା ଓ ସାମ୍ବିଧାନିକ ଶାସନ ପଛରେ ଠିଆ ହେବା ପାଇଁ ଜନଗଣଙ୍କୁ ଆହ୍ୱାନ କରିଥିବା ସିପିଆଇର ସଦସ୍ୟମାନେ କହିବା ସହ ବିଜେପି ଓ ଆର୍ଏସ୍ଏସ୍ର ସମସ୍ତ ଅପରାଧିଙ୍କୁ ତୁରନ୍ତ ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି । ଏହି ବିକ୍ଷୋଭରେ ସିପିଆଇ ଲିବରେସନର ରାଜ୍ୟ କମିିଟି ସଦସ୍ୟ ରାଧାକାନ୍ତ ସେଠି, ଭୁବନେଶ୍ୱର ସିଟି କମିଟି ସମ୍ପାଦକ ମହେନ୍ଦ୍ର ପରିଡ଼ା, ସିପିଆଇ (ଏମ୍ଏଲ) ନେତା ବଂଶୀଧର ପରିଡ଼ା, ଉପେନ୍ଦ୍ର ସାହୁ, ପ୍ରକାଶ ବେହେରା, ସମର ବଳ, ମାନସ ପ୍ରଧାନ, ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ ।