ବାମନଘାଟୀ ଉପଖଣ୍ଡର ବିଗିଡା ସ୍ୱାସ୍ଥ୍ୟ ସେବା ଓ ଅଭାବୀ ଡାକ୍ତର,କର୍ମଚାରୀ ପୂରଣ ପାଇଁ ଗର୍ଜିଲା ଭଂଜସେନା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସର୍ବବୃହତ୍ ଆଦିବାସୀ ଅଧ୍ୟୁଷିତ ବାମନଘାଟୀ ଉପଖଣ୍ଡର ସ୍ୱାସ୍ଥ୍ୟ ସେବା ସଂପୁର୍ଣ୍ଣ ବିପର୍ଯ୍ୟସ୍ତ । ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି ହେଲେ ବାମନଘାଟୀ ଉପଖଣ୍ଡର ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବିକାଶ ପ୍ରତି ଆଖି ବୁଜି ଦେଇଛନ୍ତି । ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ସୁପର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ।ତାହା କେବଳ ଘୋଷଣା ମାଧ୍ୟମରେ ରହିଗଲା । ଜିଲ୍ଲାର ଦୁର୍ବଳ ନେତୃତ୍ୱ ଓ ଭୂବନେଶ୍ୱରରେ ସ୍ୱର କ୍ଷୀଣ ନେଇ ଏ ଅଞ୍ଚଳର ବିକାଶ ଏକରକମର ରୀତା ହୋଇଯାଇଛି । ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କେତୋଟି ଉପରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ।ସେଥିରେ ବହୁ ସଂଖ୍ୟକ ଡ଼ାକ୍ତର , କର୍ମଚାରୀ,ନର୍ସ ପଦବୀ ଖାଲି ପଡ଼ିଛି ।ବିଶେଷତଃ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭିଜ୍ଞ ଶଲ୍ୟ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ,ନିସ୍ତେଜକ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ,କର୍ଣ୍ଣାଟକର,ନାସା ,,ଗଳା ବିଶେଷଜ୍ଞ, ମହିଳା ପ୍ରସୂତି ବିଶେଷଜ୍ଞ ଉନ୍ନତ ମାନର ଓଟି ରୁମ,ଡାୟାଲିସିସ ପରୀକ୍ଷା କେନ୍ଦ୍ର, ବିଭିନ୍ନ ବିଭାଗର କର୍ମଚାରୀଓ ଷ୍ଟାଫ୍ ନର୍ସ ପଦବୀ ଖାଲି ପଡିଛି । ଖଣିଖାଦାନ ଭରା ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରୁ ସିଂହ ଭାଗ ରାଜସ୍ୱ ନେଉଛନ୍ତି । ହେଲେ ବଣ,ଜଙ୍ଗଲ ,ନଦୀ,ନାଳ ଘେରା ଦୁର୍ଗମ ଜଙ୍ଗଲରେ ବସବାସ କରୁଥିବା ନିରିହ ଆଦିବାସୀଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଅପହଞ୍ଚ । ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ଯୁବ ଛାତ୍ର ସଂଗଠନ ଦିର୍ଘ ୧୫ ବର୍ଷ ହେଲା ମୟୂରଭଂଜ ବାସୀଙ୍କ ସମସ୍ୟାକୁ ନେଇ ରାଜରାସ୍ତା, ଆନ୍ଦୋଳନକୁ ଓହ୍ଲାଇଛି । ବହୁ ଘାତ ପ୍ରତିଘାତ ସହି ଆଜିଯାଏଁ ମୟୂରଭଂଜର ସମସ୍ୟାକୁ ଭୂବନେଶ୍ୱର ରାଜ ଦରବାରରେ ପହଞ୍ଚାଇଛି ।ସେ ମୟୂରଭଂଜରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଉତ୍ତଓଡ଼ିଶାବିଶ୍ୱବିଦ୍ୟାଳୟ
ପ୍ରତିଷ୍ଠା, ସୁବର୍ଣ୍ଣରେଖା ପ୍ରକଳ୍ପ,କାଗଜ କଳ ପ୍ରତିଷ୍ଠା,ସବାଇଘାସ କୁଟୀର ଶିଳ୍ପ,ବାମନଘାଟୀରେ ଲୌହ ଶିଳ୍ପ ପ୍ରତିଷ୍ଠା, ମୟୂରଭଂଜରେ ପର୍ଯ୍ୟଟନ ଶିଳ୍ପ ବିକାଶ, ମୟୂରଭଂଜର ବେକାର ଯୁବକଙ୍କୁ ଚାକିରି ଓ ହାତକୁ କାମ ଦେବା ଇତ୍ୟାଦି ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖରେ ବିଭିନ୍ନ ସମୟରେ ଦାବି ଉପସ୍ଥାପନ ସହ ଆନ୍ଦୋଳନ କରିଛି ଯାହାର ମୂକ ସାକ୍ଷୀ ମୟୂରଭଂଜବାସୀ ଅଛନ୍ତି ।ସେହି ଦୁର୍ବାର ସଂଗଠନ ‘ଭଂଜସେନା’,ବାମନଘାଟୀ, ରାଇରଙ୍ଗପୁର ଶାଖା ପକ୍ଷରୁ ବୁଧବାର ଦିନ ବାମନଘାଟୀ ଉପଖଣ୍ଡର ସ୍ୱାସ୍ଥ୍ୟ ସମସ୍ୟା ନେଇ ଏକ ଲିଖିତ ଦାବିପତ୍ର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଭଂଜସେନା ଅଧ୍ୟକ୍ଷ ରାକେଶ ସିଂ, ଜିଲ୍ଲା ସଂପାଦକ- ଅଂଜନ ବରାଳ ,ବାମନଘାଟୀ ଉପଖଣ୍ଡ ସଭାପତି ସୌମିତ କୁମାର ବଳ, ଭଂଜସେନା ମୁଖପାତ୍ର ମୋହିତ କୁମାର ବିଶୋଇ,ଟନି ପଣ୍ଡା, ରାଇରଙ୍ଗପୁର ନଗର ସଭାପତି ରଣଜିତ୍ କୁମାର ବେଳା, ଜିଲ୍ଲା ଉପସଭାପତି ରୂପକମହାନ୍ତି,,ଦୀପକ ମହାନ୍ତି, ରାକେଶ ରୋଶନ ସାହୁ,ଏନ କେ ମଣ୍ଡଳ,ପିରୁ ମହାନ୍ତ, ଚନ୍ଦନ ମଣ୍ଡଳ,ଆକାଶ ମହାନ୍ତି,ଶିଵେଜ ମହାନ୍ତି, ପ୍ରକାଶ ମହାନ୍ତ, ଚିକୁନଗୁନିଆ ପଟ୍ଟନାୟକ,ଶ୍ୟାମ ସୁନ୍ଦର ଜ୍ୟୋତିଷ,ସତ୍ୟମ ମହାନ୍ତି, ଶୁଭମ ପଣ୍ଡା, ଶୁଭେନ୍ଦୁ ମହାନ୍ତି,ଶ୍ରୀତମ ମହାନ୍ତି, ଡମ୍ବରୁଧର ମହାନ୍ତି ଏବଂ ବହୁ ଭଂଜସେନା କର୍ମୀ ପ୍ରମୁଖ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସାମିଲ ହୋଇଥିଲେ ।ମାସକ ମଧ୍ୟରେ ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତା’ହେଲେ ଭଂଜସେନା ଆଗକୁ ପରବର୍ତ୍ତୀ ନିଷ୍ପତ୍ତି। ନେବ ବୋଲି ଭଂଜସେନା ଅଧ୍ୟକ୍ଷ ରାକେଶ ସିଂ ଗଣମାଧ୍ୟମକୁ ସୂଚାଇଥିଲେ ।