ବାମପନ୍ଥୀଙ୍କ ଓଡିଶା ବନ୍ଦ ଡାକରା :ପାରଳାରେ ଆଂଶିକ ପ୍ରଭାବ
ପାରଳାଖେମୁଣ୍ଡି, ୧୫ା୭ (ତାରିଣୀ ପ୍ରସାଦ ପଣ୍ଡା) : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟକୁ ହ୍ରାସ କରିବା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ଆଜି ସକାଳ ୬ରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଏହି ୬ଘଣ୍ଟିଆ ଓଡିଶା ବନ୍ଦ ପ୍ରଭାବ ପାରଳା ସହରରେ ଆଂଶିକ ପ୍ରଭାବ ପଡିଥିଲା । ବସ ଓ ଯାତ୍ରୀ ବାହୀ ଗାଡି ଗୁଡିକ ବନ୍ଦ ରହିଥିବା ବେଳେ ଅନ୍ୟାନ୍ୟ ଦୋକାନ ବଜାର ପ୍ରାୟତଃ ଖୋଲା ରହିଥିବାର ଦେଖିବାକୁ ମିଳିଛି । ବାମପନ୍ଥୀ ଦଳ ଗୁଡିକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିବା ସହ ତୁରନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ପେଟ୍ରୋଲ, ଡିଜେଲ, ଜାଳେଣୀ ଗ୍ୟାସ ଆଦିର ହୁ ହୁ ହୋଇ ବଢି ଚାଲିଥିବା ଦର ନିୟନ୍ତ୍ରଣ କରିବା ସହ କମାଇବା ପାଇଁ ଦାବି କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଓଡିଶା ବନ୍ଦର ପ୍ରଭାବ ଆଂଶିକ ଭାବେ ପରିଲିକ୍ଷିତ ହୋଇଥିଲା । ସେମାନେ ଜଣାଇଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କର ଜୀବନ ଜୀବିକା ଗୁରୁତର ପ୍ରଭାବିତ ହୋଇଛି । କୋଟି କୋଟି ଲୋକେ ରୋଜଗାର ହରାଇବା ସହିତ ଅନାହାର, ଅର୍ଦ୍ଧାହାରରେ ଜୀବନ ବିତାଉଛନ୍ତି । ବିଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱବାସୀ ଏପରି ମହାମାରୀକୁ ସାମନା କରି ନଥିଲେ । ଲୋକଙ୍କର ଏପରି ଚରମ ଦୁର୍ଦଶା ସମୟରେ ସରକାରଙ୍କ କର୍ତ୍ତବ୍ୟ ହେଉଛି ସମ୍ବେଦନଶୀଳ ହେବା ଓ ସବୁ ପ୍ରକାର ସାହାର୍ଯ୍ୟ ସହିତ ଜନସାଧାରଣଙ୍କ ପାଖରେ ଠିଆ ହେବା କଥା । କିତନ୍ତୁ ତାହା ପରିବର୍ତ୍ତେ ସରକାର ଏହି ମହାମାରୀକୁ ଏକ ସୁଯୋଗ ଭାବରେ ଗ୍ରହଣ କରି ଅସହାୟ ଲୋକମାନଙ୍କୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ବିଗତ ୬ ମାସ ମଧ୍ୟରେ ୫୬ଥର ପେଟ୍ରୋଲ, ଡିଜେଲ ଦାମ ଅହେତୁକ ବୃଦ୍ଧିକରି ୧୦୦ଟଙ୍କା ପାର କରାଇଛନ୍ତି, ରନ୍ଧନଗ୍ୟାସର ମୂଲ୍ୟ ୮୬୧ ଟଙ୍କାରେ ପହଞ୍ôଚଛି ଏହାର ସବ୍ସିଡି ୧୬୪ଟଙ୍କାରୁ କମି ମାତ୍ର ୨୩ ଟଙ୍କା ୮୬ ପଇସା କରିଦିଆଯାଇଛି । ଏହା ମଧ୍ୟ ଲୋକଙ୍କ ଖାତାକୁ ଆସୁନି । ସେହିପର ଉଜ୍ଜଳା ଯୋଜନାକୁ ବନ୍ଦ କରି ଦିଆଯାଇଛି । ନିତ୍ୟ ବବହାର୍ଯ୍ୟ ଜିନିଷ ଯେପରି ଔଷଧ, ଡାଲି, ଖାଇବା ତେଲ, ଆଳୁ, ପିଆଜ, ପାଠପଢା ସାମଗ୍ରୀ, ଲୁଗାପଟା ପ୍ରଭୃତି ସବୁ ଜିନିଷର ଦାମ ଆକାଶଛୁଆଁ ହୋଇଛି । ଜୀବନ ଜୀବିକା ବଞ୍ଚାଇବା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଏପରି କାର୍ଯ୍ୟ ଦେଶବାସୀଙ୍କ ପ୍ରତି ଉପହାସ ବୋଲି କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବ୍ୟତୀତ ଜିଲ୍ଲାର କାଶୀନଗର, ରାୟଗଡ, ଖଜୁରିପଦା, ଆର୍.ଉଦୟଗିରି, ଚନ୍ଦ୍ରଗିରି, ଲବାରସିଂ ଆଦି ଠାରେ ବନ୍ଦ ପାଳନ କରାଯାଇଥିବାର ସୂଚନା ମିଳିଛି । ଏଥିରେ ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ଜେନା ସୁବାଷ ରାଓ, କେ.ମିନାରାଓ, ସିମେନ୍ଦ୍ର ଶବର, ରାଉତ ଚନ୍ଦ୍ର ଶେଖର ଦେଓ, ନରସିଂହ ମାଳ ବିଷୋୟୀ, ଡି.ଭେଙ୍କଟରାଓ, ପାଲକା ତ୍ରୀନାଥ, ଇସମାଇଲ ଶବର, ଗୋକୁଳ ଦଳବେହେରା, ସୁରେନ୍ଦ୍ର ମଳିକ, ତ୍ରୀନାଥ ରଇତ, ସୁନାମ ମଣ୍ଡଳ, ପିତର ଶବର, ସୁକୁ ଗମାଙ୍ଗ, କୌଳାଶ କର୍ଣ୍ଣରଇତ, ମୋହିତ ମିଶାଲ ପ୍ରମୁଖ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ ।

 
            
