ବାରଗାଡ଼ିଆ ଅଧିବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସର୍ବହରା ସୁରକ୍ଷା ସମିତି ଓ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଯାଜପୁର ଜିଲ୍ଲାର କଳିଙ୍ଗ ନଗରସ୍ଥିତ ଟାଟା କମ୍ପାନୀ ଓ ନିଳାଚଳ ଇସ୍ପାତ କାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ବାଷ୍ପ ଦ୍ୱାରା ଆକ୍ରାନ୍ତ ହୋଇଥିବା ବାରଗାଡ଼ିଆ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ଏବଂ ଦଳିତମାନଙ୍କୁ ନେଇ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଏହାପରେ ସଂଗଠନର ଆବାହକ ପ୍ରହଲାଦ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ବରିଷ୍ଠ ପ୍ରଶାସକ ଶ୍ରୀ ନିହାର ରଞ୍ଜନ ଦାସଙ୍କୁ ଅଭିଯୋଗ ପ୍ରଦାନ କରି ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀ ଦାସ ଅଭିଯୋଗ ଶୁଣି ଯାଜପୁର ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ଜଙ୍ଗଲ ବିଭାଗ ସଚିବଙ୍କୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଦନ୍ତ ମାଗିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, କଳିଙ୍ଗ ନଗର ଅଞ୍ଚଳରେ ଟାଟା କମ୍ପାନୀରୁ ନିର୍ଗତ ବିଷାକ୍ତ ବାଷ୍ପ ଯୋଗୁଁ ସୁକିନ୍ଦା ବ୍ଲକର ବାରଗାଡ଼ିଆ ପଞ୍ଚାୟତର ୩୦୦ରୁ ଉର୍ଦ୍ଧ୍ୱ ଦଳିତ, ଆଦିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ଶହ ଶହ ଲୋକ କିଡ୍‌ନୀ ଓ ଫୁସ୍‌ଫୁସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ସଂଖ୍ୟାଧିକ ପରିବାରରେ ଶହ ଶହ ଲୋକ ଏବେ ବି କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ବ୍ୟୟବହୁଳ ଚିକିତ୍ସା ହୋଇନପାରି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହା ସହିତ ଏହିସବୁ ଦଳିତ ପରିବାର ଏପର୍ଯ୍ୟନ୍ତ ଥଇଥାନ ହୋଇପାରି ନାହାଁନ୍ତି । ସେମାନେ ସମସ୍ତେ ଭୂମିହୀନ ହୋଇଥିବାରୁ ସରକାରୀ ଯୋଜନାରୁ ବଞ୍ôଚତ ହୋଇ ଆସୁଛନ୍ତି । ପାନୀୟ ଜଳ ଅଭାବ ଯୋଗୁଁ ଲୋକମାନେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନେ ଫୁସ୍‌ଫୁସ୍ ଜନିତ ରୋଗ, ଡାଇବେଟିସ୍ ଇତ୍ୟାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି ।ଟାଟା କମ୍ପାନୀ ସରକାରୀ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତ ଯୋଗୁଁ ବାରଗାଡ଼ିଆ ଅଧିବାସୀମାନଙ୍କର ଥଇଥାନ ହୋଇପାରି ନାହିଁ । ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ପାଇଁ କମ୍ପାନୀ ତରଫରୁ କୌଣସି ପ୍ରଚେଷ୍ଟା ମଧ୍ୟ କରାଯାଇ ନାହିଁ । ତେଣୁ ଏହିସବୁ ଦାବୀ ନେଇ ୩୦୦ରୁ ଉର୍ଦ୍ଧ୍ୱ ଆଦିବାସୀ ଓ ଦଳିତ ପରିବାରମାନେ ଧାରଣା ଦେଇଥିଲେ । ଏହି ଆନ୍ଦୋଳନରେ ପ୍ରମୁଖ ଦଳିତ ନେତା କାଳନ୍ଦୀ ମଲ୍ଲିକ, ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ବିଜୟ ପରିଡ଼ା, ବସନ୍ତ ମଲ୍ଲିକ, କବିତା ମଲ୍ଲିକ, ଇତିଶ୍ରୀ ମଲ୍ଲିକ, ମାମିନା ମଲ୍ଲିକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ