ବାରଣାସୀରେ ନିର୍ବାଚନ ଲଢ଼ିବେ ଶାଳିନୀ ଯାଦବ
ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବାରଣାସୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଏ ଯାଏଁ କୌଣସି ପ୍ରମୁଖ ଦଳ ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ମାତ୍ର ବିଜେପିକୁ ଟକ୍କର ଦେବାକୁ ମେଣ୍ଟ ଗଠନ କରିଥିବା ବହୁଜନ ସମାଜବାଦୀ ପାର୍ଟୀ ଓ ସମାଜବାଦୀ ପାର୍ଟୀ ଅଣ୍ଟା ଭିଡ଼ିଛନ୍ତି । ମୋଦୀଙ୍କ ସହିତ ଲଢ଼େଇ କରିବାକୁ ଏସ୍ପି ବାରଣାସୀ ସଂସଦୀୟ କ୍ଷେତ୍ର ଉପରକୁ ଶାଳିନୀ ଯାଦବଙ୍କୁ ଛାଡ଼ିଛି ।ଏସ୍ପି-ବିଏସ୍ପି ମେଣ୍ଟ ଶାଳିନୀ ଯାଦବଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଶାଳିନୀ ଯାଦବ ୨୦୧୭ ରେ କଂଗ୍ରେସ ଟିକେଟ୍ରୁ ପୌରପରିଷଦ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ହାରିଯାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ପରେ ଗତକାଲି ସେ ଏସ୍ପି ଦଳରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ୟାମଲାଲ ଯାଦବଙ୍କ ବୋହୁ ।ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ସଭାପତି ପ୍ରଜାନାଥ ଶର୍ମା କହିଛନ୍ତି ଦଳ ବିରୋଧୀ କାର୍ଯ୍ୟ ପାଇଁ ଶାଳିନୀଙ୍କୁ ଏପ୍ରିଲ ୨୦ ରେ ଦଳରୁ ବହିଷ୍କାର କରାଯାଇଛି । ଯାହା ପରେ ସେ ଲକ୍ଷ୍ନୌ ଯାଇ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଅଖିଳେଶଙ୍କ ଉପସ୍ଥିତିରେ ସେ ସମାଜବାଦୀ ପାର୍ଟୀରେ ସାମିଲ ହୋଇଛନ୍ତି । ଏହା ପରେ ତାଙ୍କୁ ବାରଣାସୀରୁ ପ୍ରାର୍ଥୀ କରିବାକୁ ଦଳ ଘୋଷଣା କରିଛି ।