ବାରମ୍ବାର ଅଭିଯୋଗ ପରେ ବି ବାଂଶପାଣି ରେଳ ସାଇଡିଂ ରେ ଚୋରା କୋଇଲା କାରବାର ସକ୍ରିୟ

ଯୋଡ଼ା : କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ଠାରେ ଚୋରା କୋଇଲା କାରବାର ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ଅଂଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ ଏହି କାରବାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏନେଇ ସେମାନେ ଲିଖିତ ଭାବେ ଯୋଡା ଥାନାରେ ଜଣାଇବା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଚୋରା ଚୋରା କୋଇଲା ବ୍ୟବସାୟୀ ମାନେ ଅଧିକ ସକ୍ରିୟ ହୋଇପଡୁଛନ୍ତି । ଚୋରା କାରବାର ନେଇ ଯୋଡା ପୌରପାଳିକାର ଓାର୍ଡ ନଂ ୧୨ ବାଂଶପାଣି ଦାସ ହଟିଂ ନିକଟରେ ଏହି କାରବାର ବ୍ୟାପକ ଭାବେ ହେଉଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୁଚନାରୁ ଜଣାପଡିଛି ଯେ, ବାଂଶପାଣି ରେଳ ସାଇଡିଂରେ ପ୍ରତିଦିନ ର‌୍ୟାଗ୍ ଲୋଡିଂ ହୋଇଥାଏ । ଏଠାକୁ ଆସୁଥିବା ର‌୍ୟାକ୍ ର ଡବା ମଧ୍ୟରେ କୋଇଲା ବଳକା ରହିଥାଏ । ଓାଗନ ଲୋଡିଂ କରିବା ପୂର୍ବରୁ ଉକ୍ତ ଡବାରେ ସଫେଇ କରାଯାଇଥାଏ । ଉକ୍ତ ବଳକା କୋଇଲା ଗୁଡିକୁ ସଂଗ୍ରହ କରି ତାହାକୁ ଅଳ୍ପ ମୂଲ୍ୟରେ ଚୋରା କୋଇଲା ବ୍ୟବସାୟୀ ମାନଙ୍କଠାରେ ବିକ୍ରୟ କରିଥାନ୍ତି । ଏହା ସହିତ ବାଂଶପାଣି ରେଳସାଇଡିଂ ଦେଇ ବିଭିନ୍ନ ଶିଳ୍ପ ସଂସ୍ଥାକୁ ର‌୍ୟାକ୍ ଯୋଗେ ପରିବହନ ହେଉଥିବା ବେଳେ ବାଂଶପାଣି ଅଂଚଳରେ ଚୋରା ବ୍ୟବସାୟୀ ମାନେ ଶ୍ରମିକ ଲଗାଇ ଟ୍ରେନ୍ ଚାଲୁଥିବା ଅବସ୍ଥାରେ କୋଇଲା ବୋଝେଇ ହୋଇଥିବା ରେଳ ଡବାର ଦ୍ୱାରକୁ ଖୋଲି ଦେଇଥାନ୍ତି । ଫଳରେ ବହୁ ପରିମାଣର କୋଇଲା ରେଳ ଧାରଣା କଡରେ ପଡିଯାଇଥାଏ । ଟ୍ରେନ୍ ଚାଲିଯିବା ପରେ ତାହାକୁ ନେଇ ଚୋରା କୋଇଲା ବ୍ୟବସାୟୀମାନେ ନିକଟସ୍ଥ ଜଙ୍ଗଲ , ବୁଦା ରେ ଗୁପ୍ତ ଭାବେ ଗଛିତ କରି ରଖିଥାନ୍ତି । ପରେ ବଡ କୋଇଲାକୁ ପିକଅପ ଭ୍ୟାନ୍ ମାଧ୍ୟମରେ ବ୍ୟବସାୟୀମାନେ ବାହାର ଅଂଚଳକୁ ଚୋରାଚାଲାଣ କରିଥାନ୍ତି ଏବଂ ଗୁଣ୍ଡ କୋଇଲା କୁ ଇଟା ଆକାରରେ ପ୍ରସ୍ତୁତ କରି ଭାଟିରେ ସେଗୁଡିକୁ ଅଧା ପୋଡା କରି ନିଆଁ ଲିଭାଇଥାନ୍ତି । ପରେ ଉକ୍ତ ଦରପୋଡା କୋଇଲା ଇଟାକୁ ସିମେନ୍ଟ ଅଖାରେ ପ୍ୟାକିଂ କରି ଅଖା ପିଛା ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ମୂଲ୍ୟରେ ବିକ୍ରୟ ହେଉଥିବା ସୂତ୍ରରୁ ଜଣାପଡିଛି । ଗ୍ରାମ ନିକଟରେ ଏହି କୋଇଲା ପୋଡିବା ଦ୍ୱାରା ସେଥିରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ଥାନୀୟ ଅଂଚଳକୁ ପ୍ରଦୂଷିତ କରୁଛି । ଅଂଚଳବାସୀ ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ ହୋଇପଡୁଥିବାରୁ ଗତ ତା ୦୨/୦୯/୨୦୧୯ ରିଖରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ମହିଳା ଲିଖିତ ଭାବେ ଯୋଡା ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଧ୍ୟ ପୋଲିସ ପକ୍ଷରୁ କିମ୍ବା ସ୍ଥାନୀୟ ଯୋଡା ଖଣି ବିଭାଗ ପକ୍ଷରୁ କୌଣସି ଆଖିଦୁର୍ଶିଆ ପଦକ୍ଷେପ ନିଆ ନ ଯିବାରୁ ଏହି କୋଇଲା ଚୋରା କାରବାର ଜାରି ରହିଛି ଏବଂ ଟ୍ରିପ୍ ଟ୍ରିପ୍ କୋଇଲା ଅଂଚଳରେ ଚୋରାରେ ଗଛିତ ହୋଇ ରହିଥିଲେ ହେଁ ଖଣି ବିଭାଗ ପକ୍ଷରୁ ତାହାକୁ ଜବତ କରାଯାଉନଥିବାରୁ ଏହି କାରବାର ଉପରେ ଅଙ୍କୁଶ ଲାଗି ପାରୁନାହିଁ । ରେଳ ସାଇଡିଂରୁ ଚୋରା କୋଇଲା ପରିବହନ ହେବା ପରେ ସ୍ଥାନୀୟ ରେଳବାଇ ପୋଲିସର ହାତ ଥିବାରୁ ଏହା ଅନାୟଶରେ ହୋଇପାରୁଛି ବୋଲି ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏହା ସହିତ ଉକ୍ତ ଚୋରା ଗଛିତ କୋଇଲାକୁ ଖଣି ବିଭାଗ ପକ୍ଷରୁ ଜବତ କରାଯାଉନଥିବାରୁ ଖଣି ବିଭାଗର ଭୂମିକା ଉପରେ ଅଂଚଳବାସୀ ସନ୍ଦେହ କରିଛନ୍ତି । ଏ ସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକ ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ଏହା ଉପରେ ଦୃଷ୍ଟି ଦେବେ । ଏହାର ତଦନ୍ତ କରି ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ କରିବେ ବୋଲି କହିଥିଲେ । ରାଜ୍ୟସ୍ତରୀୟ ଖଣି ଏନଫୋର୍ସମେନ୍ଟ , ଜିଲାସ୍ତରୀୟ ତଦନ୍ତ ସ୍କ୍ୱାର୍ଡ ଡିଏଲଟିଏଫ ଗଠନ କରାଯାଇଥିଲେ ମଧ୍ୟ ଏହା ଧର୍ମକୁ ଆଖିଠାର । ପ୍ରତିଦିନ ଲୁହାପଥର ଚୋରି , ମାଙ୍ଗାନିଜ ଚୋରି ଏପରିକି କୋଇଲା ଚୋରାକରବାର, ପ୍ରଶାସନର ଆଖିରେ ଆଙ୍ଗୁଠି କେଂଚି ଚୋରମାନେ ଚୋରି କରିନେଉଛନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ତାପରେ ମଧ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦନ୍ତକାରୀ ଦଳ ତଦନ୍ତ କରୁନାହାନ୍ତି । ଖଣି ବିଭାଗ ମଧ୍ୟ ନିରବଦ୍ରଷ୍ଟା ସାଜି ଏହି କାର୍ଯ୍ୟକୁ ପ୍ରଶୟ ଦେଉଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଂଜନ ବହିଦାର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ ଉକ୍ତ ଘଟଣାସ୍ଥଳକୁ ଚଢାଉରେ ଯାଇଥିଲେ । ଚଢାଉବେଳେ କୋଇଲା ଇଟା ପଡୁଥିବା ଚୋରମାନେ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଏହି କାରବାର ସମ୍ପର୍କରେ ଅଧିକ ତଦନ୍ତ କରିବାରୁ ଜାଣିବାକୁ ପାଇଥିଲେ ଯେ, ଏହି କାରବାରରେ ଏକ ର‌୍ୟାକେଟ ସଶ୍ଲୀଷ୍ଟ ଅଛି । ସ୍ଥାନୀୟ ଅଂଚଳର ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଛୋଟ ଛୋଟ ସ୍କୁଲ ଛାତ୍ରମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଇ ଅଳ୍ପମୂଲ୍ୟ ଦେଇ କୋଇଲା ଚୋରା ବ୍ୟବସାୟୀମାନେ କ୍ରୟ କରି ଅଧିକ ମୂଲ୍ୟରେ ଚୋରା ଚାଲାଣ କରୁଥିବା ଜଣାପଡିଛି ଏବଂ ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାସ କରାଯିବ ବୋଲି ଏସଆଇ ବେହେରା କହିଥିଲେ । ଏ ସମ୍ପର୍କରେ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଙ୍କୁ ପଚାରିବାରୁ ସେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ