ବାରହା ଆକ୍ରମଣରେ ଜଣେ ଗୁରୁତର
କୋଦଳା: ଜଙ୍ଗଲୀ ବାରହା ଘର ଭିତରକୁ ପଶିବା ବେଳେ ବାରହା କୁ ଘଉଡାଇବାକୁ ଯାଇ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି ଜଣେ ବ୍ୟକ୍ତି। ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ତାଳସର ଗ୍ରାମ ସୂର୍ଯ୍ୟ ନଗର ସାହିର ଜଗଦୀଶ ଜେନା (୫୫) । ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ନିକଟସ୍ଥ ପାହାଡ଼ରୁ ଆଖୁ କ୍ଷେତ ଦେଇ ଏକ ବାରହା ସୂର୍ଯ୍ୟ ନଗର ସାହିକୁ ପଶି ଗୀତା ସ୍ବାଇଁଙ୍କ ଘରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ବାରହା କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଜଗଦୀଶ। ତେବେ ବାରହା ଜଗଦୀଶକୁ ଆକ୍ରମଣ କରି କ୍ଷତ ବିକ୍ଷତ କରି ଗୀତାକ ଘରେ ପଶିଥିଲା। ସେତେବେଳକୁ ଗୀତାଞ୍ଜଳି ଓ ତାଙ୍କ ଝିଅ ବାହାରକୁ ଭୟରେ ଚାଲିଯାଇଥିଲେ। ଗ୍ରାମବାସୀମାନେ ଜମା ହୋଇ ଉକ୍ତ ଘରର କବାଟ ବନ୍ଦ କରି ଦେଇଥିଲେ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଖବର ଦେବାର ଦୀର୍ଘ ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ସୁମଣ୍ଡଳ ଓ ଖଲ୍ଲିିକୋଟ ବନ ବିଭାଗର କୌଣସି କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଏପରିକି ବ୍ରହ୍ମପୁର ଡିଏଫଓ କୁଂ ମଧ୍ୟ ଖବର ଦିଆଯାଇଥିଲେ ମଧ୍ୟ ସଂଧ୍ୟା ୭ ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚି ନଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା ।