ବାରହା ଆକ୍ରମଣରେ ଯୁବକ ଗୁରୁତର
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ କାଜୁ ବଗିଚାରେ ବଗିଚା କାମସାରି ଫେରିବା ସମୟରେ ଏକ ଜଙ୍ଗଲି ବାରହା ହାବୁଡ଼ରେ ପଡ଼ିଥିଲେ । ବାରହା ଟି ହଠାତ୍ ରବିକୁ ଆକ୍ରମଣ କରିଥିଲା । ଫଳରେ ରବିର ଦୁଇ ହାତ, କାନ୍ଧ ଓ ପିଠିରେ ଗୁରୁତର କ୍ଷତ ହୋଇଥିଲା । କୌଣସି ପ୍ରକାରେ ଜୀବନ ବଞ୍ଚାଇ ରବି ସେଠାରୁ ଦୌଡ଼ି ଘରକୁ ପଳାଇ ଆସିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ରବିକୁ ସଙ୍ଗେ ସଙ୍ଗେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ରବି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି l