ବାରାହା ଆକ୍ରମଣରେ ୭ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶେରଗଡ଼ ବ୍ଳକ ପାଟପୁର ବନାଂଚଳ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଅନ୍ଧାରିଆ ଗ୍ରାମରେ ଗୁରୁବାର ଭୋରରେ ବାରାହା ଆକ୍ରମଣରେ ୨ଜଣ ଶିଶୁ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ଶାନ୍ତରା ରୁନିଆ (୧୧), ଶିବାନି ଗଉଡ଼ (୭), ସୂର୍ଯ୍ୟ ଗଉଡ଼(୩୦), ସୁଶିଳା ଗଉଡ଼(୫୫), ଜୟନ୍ତି ଜେନା(୫୫), ପ୍ରିୟଙ୍କା ବିଷୋୟୀ(୨୬) ଓ ସୁଶିଳା ସ୍ୱାଇଁ(୪୫) । ପ୍ରକାଶ ଯେ, ଗୁରୁବାର ସକାଳେ ସଂପୃକ୍ତ ଗ୍ରାମର ବାଳକ ଶାନ୍ତରା ଗ୍ରାମ ଦାଣ୍ଡରେ ଖେଳୁଥିବା ବେଳେ ଏକ ବାରାହା ଆସି ବାଳକକୁ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକେ ଦେଖି ବାରାହାକୁ ଘଉଡ଼ାଇବା ସହ ବାଳକକୁ ଉଦ୍ଧାର କରି ଚିକତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ବାରାହାଟି ଗ୍ରାମ ନିକଟସ୍ଥ ବିଲରେ କାମ କରୁଥିବା ୫ଜଣ ଶ୍ରମିକ ଓ ଜଣେ ୭ବର୍ଷର ଶିଶୁକୁ ଆକ୍ରମଣ କରିଥିଲା । ବାରାହା ଆକ୍ରମଣରେ ସମସ୍ତେ ଗୁରୁତର ଆହି ହୋଇଥିଲେ । ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ୪ଜଣ ଗୁରୁତର ଆହତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ନେଇ ପାଟପୁର ବନ ଭାରପ୍ରାପ୍ତ ଅଧିକାରୀ ଶିବରାମ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଆହତଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ସାକ୍ଷାତ କରି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ସଂପୃକ୍ତ ଗ୍ରାମରେ ଗତ କିଛି ଦିନ ଧରି ବାରାହା ଉପଦ୍ରବ ଲାଗି ରହିଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।