ବାରାହୀ ପାହାଡରୁ ମହିଳାଙ୍କ ଗଳିତ ଶବ ଠାବ, ହତ୍ୟା ସନ୍ଦେହ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ୬ନଂ ୱାର୍ଡ ଅଗ୍ନିଶମ କେନ୍ଦ୍ର ପଛଭାଗ ବାରାହୀ ପାହାଡରୁ ଜଣେ ମହିଳାଙ୍କ ଗଳିତ ଶବକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ସଠିକ ପରିଚୟ ଜଣାପଡିନଥିବା ବେଳେ ଗଛରେ ବନ୍ଧା ଯାଇଥିବା ଲୁଗାକୁ ଚିହ୍ନଟ କରି ମୃତକଙ୍କ ପରିବାର ଲୋକେ ମୃତକ ଜଣଙ୍କ ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ଲିଲି ନାୟକ(୩୨)ବୋଲି ସନ୍ଦେହ କରାଯାଉଛି । ପାରିପ୍ୱାର୍ଶିକ ସ୍ଥିତିକୁ ଲକ୍ଷ୍ୟ କଲେ କେହି ଦୃର୍ବୁତ୍ତ ହତ୍ୟା କରିବା ପରେ ପାହାଡ ନିକଟରେ ଫୋପାଡି ଦେଇଥିବା ଚର୍ଚ୍ଚା ହେଉଛଇ । ମହିଳା ଜଣଙ୍କ ଦୀର୍ଘ ୧୨ ଦିନ ଧରି ନିଖୋଜ ଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୨୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଏବଂ ଡି.ଏନ.ଏ. ରିପୋର୍ଟ ଆସିବା ପରେ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।ପ୍ରକାଶ ଯେ, ବ୍ରହ୍ମପୁର ସଦର ଥାନା କୃପାସିନ୍ଧୁପୁର ଶାସନଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ଲିଲି ନାୟକ ପରିବାର ସହ ଦୀର୍ଘ ଦିନ ଧରି ହିଞ୍ଜିଳିକାଟୁ ପୌରାଞ୍ଚଳ ୬ନଂ ୱାର୍ଡ କମ୍ବୁପାଣି ମାର୍ଗରେ ଭଡା ସୂତ୍ରରେ ରହି ଆସୁଥିଲେ । ଦୀର୍ଘ ୧୨ ଦିନ ଧରି ମହିଳା ଜଣଙ୍କ ନିଖୋଜ ଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳିନଥିଲା । ରବିବାର ସନ୍ଧ୍ୟରେ କିଛି ଶ୍ରମିକ ସଂପୃକ୍ତ ପାହାଡ ନିକଟରେ କାମ କରୁଥିବା ବେଳେ ଦୁର୍ଗନ୍ଧ ହେବାରୁ ମୃତଦେହ ପଡିଥିବା ସନ୍ଦେହ କରିଥିଲେ । ନିକଟସ୍ଥ ସ୍ଥାନକୁ ଯିବା ବେଳେ ଏକ କୁକୁର ମୃତ ମହିଳାଙ୍କ ଗୋଡକୁ ଝୁଣି ଝୁଣି ଖାଉଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳକୁ ଲୋକଙ୍କ ସୂଅ ଛୁଟିଥିଲା । ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ସେଠି ଓ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ମୃତଦେହ ପଡିଥିବା ସ୍ଥାନର ଅଳ୍ପ ଦୁରରେ ଥିବା ଏକ ଗଛରେ ଏକ ଲୁଗା ବନ୍ଧା ଯାଇଥିବା ବେଳେ ମୃତଦେହ ସମ୍ପୁର୍ଣ୍ଣ ପଚିସଢି ଯାଇଥିବା ଦେଖିବାକୁ ମିଳିଛି । ଉଦ୍ଧାର ଗଳିତ ଶବ ବାସ୍ତବରେ ଲିଲିଙ୍କ ନା ଅନ୍ୟ କାହାର ସେ ନେଇ କୌଣସି ସ୍ପଷ୍ଟ ହୋଇ ପାରିନାହିଁ । କୌଣସି ଦୃର୍ବୁତ୍ତ କୌଣସି ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ମୃତଦେହକୁ ପାହାଡ ନିକଟରେ ଫୋପାଡି ଚାଲିଯାଇଛି ନା ପରିବାର ଷଳାକେ ସନ୍ଦେହ ପ୍ରକାଶ କରୁଥିବା ଲିଲି ଆତ୍ମହତ୍ୟା କରିଛନ୍ତି ନା କେହି ହତ୍ୟା କରି ଫୋପାଡି ଦେଇଛି ସ୍ପଷ୍ଟ ଜଣାପଡିନାହିଁ । ପ୍ରକାଶ ଥାଉକି, ଗତ ୨୩ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ମହୁଲପଲ୍ଲୀ ଗ୍ରାମ ଶଶ୍ମାନରୁ ଏକ ନରକଙ୍କାଳକୁ ପୁଲିସ ଉଦ୍ଧାର କରିଥିଲା । ସେହିପରି ୨୦୨୧ ମସିହା ଜୁନ ୧୨ ତାରିଖରେ ସ୍ଥାନୀୟ ଥାନା ବଳରାମପୁର ଫୋଖରୀରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଖପୁରୀ ଉଦ୍ଧାର କରାଯାଇଥିଲା । ୨୦୧୮ ମସିହା ଡିସେମ୍ବର ମାସରେ ସୋମପୁର ନିକଟସ୍ଥ ଘୋଡେଇଶୁଣୀ ପାହାଡରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେହି ବର୍ଷ ହିଁ କଣ୍ଟେଇକୋଳି ଗ୍ରାମ ନିକଟସ୍ଥ ଏକ ଧାନକ୍ଷେତରୁ ଏକ ନରକଙ୍କାଳ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ନରକଙ୍କାଳ ସହ ଗଳିତ ମୃତଦେହ ଠାବ କରାଯାଉଥିବା ବେଳେ ମୃତକଙ୍କ ପରିଚୟ କିମ୍ବା ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି ।