ବାରିକପୁରରୁ କହରାପୋଖରୀ ବଢୁଛି ଚୋରା ବେପାର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ବାରିକପୁର ଠାରୁ କହରା ପୋଖରୀ ଯାଏଁ ଏବେ ଦିନକୁ ଦିନ ଚୋରା ବେପାର ବୃଦ୍ଧି ପାଉଥିବା ସ୍ଥାନୀୟ ସଚେତନ ନାଗରିକ ମାନେ ଅଭିଯୋଗ କରିଛନ୍ତି । ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ପ୍ରାୟତଃ ସରିଯାଇଥିବା ବେଳେ ଏବେ ରାସ୍ତା କଡରେ ଅନେକ ଚାହା, ଜଳଖିଆ ଓ ପାନ ଦୋକାନ ଗଢି ଉଠିଲାଣି । ସାମ୍ନାରେ ଦୋକାନକୁ କେବଳ ଛପା କରି ପଛପଟେ କିନ୍ତୁ ମଦ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଅବାଧରେ କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ । ଏହାକୁ ଛାଡିଦେଲେ ଦିବାଲୋକରେ ମଧ୍ୟ ଚୋରା ତେଲ କାରବାର ହେଉଥିବା ଦେଖାଯାଉଛି । ରାଜପଥରେ ଯାଉଥିବା ଅନେକ ମାଲବାହୀ ଟ୍ରକ ବାରିକପୁର ସମେତ ରାଜେନ୍ଦ୍ରପୁର ଛକ, କହରାପୋଖରୀ ଓ ଧାମନଗର ଛକ ଠାରେ ଠିଆ ହେଉଥିବା ବେଳେ ସେଥିରୁ ତେଲ ପାଇପ ଯୋଗେ କଢା ଯାଉଛି । ପରେ ଗାଡି ଟାଙ୍କିରେ କିଛି କିରୋସିନ ଅପମିଶ୍ରଣ ହେଉଥିବା ମଧ୍ୟ ସୂଚନା ମିଳିଛି । ଏହିଭଳି ଅତି ଚତୁରତାର ସହିତ ସ୍ଥାନୀୟ ଚୋରା ତେଲ ବେପାରୀ ଓ ଗାଡି ଡ୍ରାଇଭର ବେଆଇନ ବେପାରକୁ ବଢାଇବାରେ ଲାଗିଛନ୍ତି । ବିଭିନ୍ନ ଚୋରା ବ୍ୟବସାୟ ବୃଦ୍ଧି ପାଉଥିବାରୁ ଅନେକ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଲେଣି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଉକ୍ତ ଅଂଚଳରେ ବିଭିନ୍ନ ନିଶାଦ୍ରବ୍ୟ ସହିତ ଦିବାଲୋକରେ ତେଲ ବେପାର ପୁଲିସର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବିଭିନ୍ନ ସମୟରେ ସଚେତନ ନାଗରିକ ମାନେ ସ୍ଥାନୀୟ ଧାମନଗର ଥାନାର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପୁଲିସର କାର୍ଯ୍ୟକାରିତା କିନ୍ତୁ ଶୂନ ରହିଛି । ଯାହାକୁ ନେଇ ବୃଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ