ବାରିମୂଳ ଆଶ୍ରମରେ ସାରଥି ଭକ୍ତଙ୍କ ପ୍ରବେଶ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳସ୍ଥିତ ବହୁ ଚର୍ଚ୍ଚିତ ସାରଥି ଆଶ୍ରମରେ ତାଙ୍କ ଭକ୍ତ, ଅନୁଗତ ଓ ସମର୍ଥକମାନେ ଜୋରଜବରଦସ୍ତି ଶୁକ୍ରବାର ପ୍ରବେଶ କରିଥିବା ସୂଚନା ମିଳିଛି । ସେମାନେ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିବା ସହ ବାବାଙ୍କର ଜୟକାର ଧ୍ୱନୀ ପକାଇଛନ୍ତି । ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ସେମାନେ ବାରିମୂଳସ୍ଥିତ ସାରଥିବାବାଙ୍କ ମନ୍ଦିରରେ ପ୍ରବେଶ କରି ତାଙ୍କ ଫଟୋକୁ ପୂଜାର୍ଚ୍ଚନା କରିବା ସହ ହୋମ ମଧ୍ୟ କରିଛନ୍ତି । କିନ୍ତୁ ଅଦାଲତଙ୍କ ପକ୍ଷରୁ ସେହି ଆଶ୍ରମରେ ପୂଜାର୍ଚ୍ଚନାକୁ ବାରଣ କରାଯାଇଥିବା ବେଳେ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସେହି ସମ୍ପତ୍ତିକୁ ଦଖଲକୁ ନେଇଥିବା ବେଳେ ସେଠାରେ ସାଧାରଣ ଜନତାଙ୍କ ପ୍ରବେଶ ଅନୁମତି ନଥିବା କୁହାଯାଇଛି । ଏହାସତ୍ୱେ ଆଶ୍ରମ ଭିତରକୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସାରଥି ଭକ୍ତ ଜୋରଜବରଦସ୍ତି ପ୍ରବେଶ କରି ସେଠାରେ କିଭଳି ସାରଥିଙ୍କ ଫଟୋରଖି ପୂଜା କଲେ ସେହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବା ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସମାଲୋଚନା କରାଯାଇଛି । ଏହି ଘଟଣାକୁ ନେଇ ବାରିମୂଳ ଗ୍ରାମ ସମେତ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣା ଉପରେ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନକରିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ସଦର ଥାନା ଅଧିକାରୀ ପବିତ୍ର ମହାରନା କହିଛନ୍ତି ଯେ ଏସମ୍ପର୍କରେ ଥାନାରେ କୈାଣସି ଅଭିଯୋଗ ହୋଇନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ଇଡି ଗତ ୨୦୧୯ମସିହା ଜୁଲାଇମାସ ୨୭ତାରିଖ ଠାରୁ ଆଶ୍ରମ ସମ୍ପତ୍ତିକୁ ନିଜ ହେପାଜତକୁ ନେଇଛନ୍ତି । ସେହିଦିନ ଠାରୁ ଆଶ୍ରମ ପରିସରକୁ ସାଧାରଣଙ୍କ ପ୍ରବେଶ ଉପରେ ଲୋକ ଲଗାଯାଇଛି ।


