ବାର୍ଡଫ୍ଲୁ ପାଇଁ ବନ୍ଦ ରହିବ ନନ୍ଦନକାନନ ବିହଙ୍ଗ ସାରଣୀ

ଭୁବନେଶ୍ବର : ପୁଣି ଦେଖାଦେଇଛି ବାର୍ଡଫ୍ଲୁ ଆତଙ୍କ। ଭୁବନେଶ୍ବରରେ ବାର୍ଡଫ୍ଲୁ ହୋଇଥିବାର ପ୍ରମାଣ ମିଳିବା ପରେ ପରେ ନନ୍ଦନକାନନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ନନ୍ଦନକାନନ ଚିଡିଆଖାନାର ପକ୍ଷୀ ସଫାରୀ ବା ବିହଙ୍ଗ ସାରଣୀ ବନ୍ଦ ରହିବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ଚିଡିଆଖାନାର ଅନ୍ୟାନ୍ୟ ସ୍ଥାନ ପର୍ଯ୍ୟଟକମାନେ ଭ୍ରମଣ କରିପାରିବେ ବୋଲି କୁହାଯାଇଛି।
ଭୁବନେଶ୍ବରର ଓୟୁଏଟି ଫାର୍ମରେ ବାର୍ଡଫ୍ଲୁ ବ୍ୟାପିଥିବାର ପ୍ରମାଣ ମିଳିବା ପରେ ଚିଡିଆଖାନା ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଦୁଇଦିନ ତଳେ ଓୟୁଏଟି କୁକୁଡା ଗବେଷଣା ଫାର୍ମର ଏକ କୁକୁଡା ମରିଯାଇଥିଲା। ହଠାତ ମରିବା ଦେଖି କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହାକୁ ଓୟୁଏଟି କର୍ତ୍ତୃପକ୍ଷ ଗୁରୁତର ସହ ନେଇ ସେହି କୁକୁଡାର କିଛି ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ। ଭୋପାଳ ପରୀକ୍ଷାଗାରରେ ପରୀକ୍ଷା ହେବା ପରେ କୁକୁଡାକୁ ବାର୍ଡଫ୍ଲୁ ହୋଇଥିବାର ଜଣାପଡିଥିଲା। ଫଳରେ ମଙ୍ଗଳବାରଠାରୁ ଓୟୁଏଟିର ସମସ୍ତ କୁକୁଡା ମରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଭୁବନେଶ୍ବରରୁ ବାର୍ଡ ଫ୍ଲୁ ହେବାର ପ୍ରମାଣ ମିଳିବା ପରେ ବର୍ତ୍ତମାନ ଅନ୍ୟାନ୍ୟ ଫାର୍ମରେ ଏହି ଫ୍ଲୁ ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି। ଫଳରେ ରାଜ୍ୟ ସରକାର ବାହାର ଘରୋଇ ଫାର୍ମର କୁକୁଡା ନମୁନା ପରୀକ୍ଷା କରିପାରନ୍ତି ବୋଲି ଜଣାପଡିଛି। ତେବେ କିଛିଦିନ ପାଇଁ ଲୋକମାନେ କୁକୁଡା ମାଂସ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ