ବାର୍ତ୍ତକ୍ୟ ଭତ୍ତା ୧୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ରାଜନୀତିରେ କୃଷକମାନଙ୍କ ଅବହେଳା ଓ ସମସ୍ୟା ନେଇ ମୁଖର ହୋଇଛି ନବନିର୍ମାଣ କୃଷକ ସଂଗଠନ । ଜାତୀୟ ରାଜନୀତିରେ ନିଜର ଭୂମିକା ବଢାଇଥିବା ନବନିର୍ମାଣ କୃଷକ ସଂଗଠନ ଏବେ ପୁଣି ଚାଷୀଙ୍କ ପେନ୍‌ସନ, ବାର୍ଦ୍ଧକ୍ୟ ଭତ୍ତାକୁ ୧୫୦୦କୁ ବୃଦ୍ଧି କରିବା, ଧାନ କୁଇଣ୍ଟାଲ ୩୦୦୦ ଓ କ୍ଷୀର ଲିଟର ୫୦ ଟଙ୍କା ଦାବିରେ ସମସ୍ତେ ପଞ୍ଚାୟତରେ ସାମିଲ୍ ହେବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶେଷଦେବ ନନ୍ଦ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଥିଲେ ଯେ, ରାଜ୍ୟରେ ଚାଲିଥିବା ସରକାର କୃଷକମାନଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ସରକାର କେବଳ କର୍ମଚାରୀଙ୍କ ଦରମା ବଢାଇ ରାଜକୋଷକୁ ସମାପ୍ତ କଲାବେଳେ କର୍ମଚାରୀଙ୍କ ଠାରୁ ଗୋଟିଏ ଟଙ୍କାର କାମ ଆଦାୟ କରୁନାହାଁନ୍ତି । କୌଣସି କ୍ଷେତ୍ର ଜଙ୍ଗଲ, କୃଷି, ମତ୍ସସମ୍ପଦ, ଗୋସମ୍ପଦ କ୍ଷେତ୍ରରେ କିଭଳି ଆୟ ବୃଦ୍ଧି ହେବ, ସେ ନେଇ ସରକାରଙ୍କର କୌଣସି ଯୋଜନା ନାହିଁ । ଅଧିକାଂଶ ବିଭାଗର କ୍ଷେତ୍ର କର୍ମଚାରୀ ତଳେ ଆଦୌ କାମ କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀଙ୍କର କୃଷିଭିତ୍ତିକ ଯୋଜନା କେବଳ ପ୍ରଚାରରେ ସୀମିତ ରହିଛି । ଶ୍ରୀ ନନ୍ଦ ଏହାର ଉଦାହରଣ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜଗତସିଂହପୁରରେ ଜଣେ ମାତ୍ର ଚାଷୀ ଉପକୃତ ହୋଇଥିଲେ । ସବୁ କଥାରେ କେବଳ ଖବରକାଗଜରେ ବ୍ୟାପକ ବିଜ୍ଞାପନ ଓ ଭାଷଣରେ ଗରିବ ଓ କୃଷକଙ୍କ ନାମ ନିଆଯାଉଛି । ମୁଖ୍ୟମନ୍ତ୍ରୀ ବିଗତ ଦିନରେ ଚାଷୀ ଆନ୍ଦୋଳନ ଚାପ ଏଡ଼ାଇବା ପାଇଁ ଚାଷୀ ପେନସନ ବଦଳରେ କାଳିଆ ଯୋଜନା କରିଥିଲା ବେଳେ ଏବେ ତାଙ୍କ କାଳିଆ ଯୋଜନାର ପ୍ରତିଶ୍ରୁତି ରକ୍ଷା କରିନାହାଁନ୍ତି । ପ୍ରଥମରୁ ନବୀନ କହିଥିଲେ ଜଣେ ବି ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ୍ ପଡ଼ିବେ ନାହିଁ । ମୁଁ ବଞ୍ôଚଥିବା ଯାଏ ଯୋଜନା ଚାଲୁ ରହିବ । ଅଥଚ ୧୦ ହଜାର ଟଙ୍କା କାଳିଆ ଯୋଜନାକୁ ନବୀନ ପଟ୍ଟନାୟକ ମାତ୍ର ୪ ହଜାରରେ ସୀମିତ ରଖିଲେ । ଏବେ ଭୂମିହୀନଙ୍କୁ ଏହି ଯୋଜନାରୁ ବାଦ୍ ଦେବା ପାଇଁ ଚକ୍ରାନ୍ତ ଆରମ୍ଭ ହେଉଛି । ଦେଶରେ, ରାଜ୍ୟରେ ଉତ୍କଟ ଆର୍ଥିକ ସ୍ଥିତି ସତ୍ତ୍ୱେ କେବେ ବି ମହଙ୍ଗା ଭତ୍ତା ବନ୍ଦ ହେଉନାହିଁ । କରୋନାରେ କର୍ମଚାରୀମାନଙ୍କୁ ଘରେ ବସାଇ ପୂର୍ଣ୍ଣ ଦରମା ଦିଆଗଲା । କର୍ମଚାରୀଙ୍କ ଦରମାରେ ରାଜକୋଷ କେତେ ଭାରକାନ୍ତ ହୋଇଛି ତାହା ଚର୍ଚ୍ଚା ହେଉନାହିଁ, ଅଥଚ ମାମୁଲି ସବ୍‌ସିଡ୍ ଉଠାଇ ଦେବା ପାଇଁ କର୍ମଚାରୀମାନେ ଚାପ ପକାଉଛନ୍ତି । ରାଜ୍ୟରେ ବର୍ଷ ବର୍ଷ ଧରି ଶୀତଳଭଣ୍ଡାର ନ ହେବା କାରଣରୁ ଚାଷୀ ସେମାନଙ୍କ ଉତ୍ପାଦ ବିକ୍ରିରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଥିଲା ବେଳେ ଖାଉଟିମାନେ ମଧ୍ୟ ୮୦ ଟଙ୍କା ଦରରେ ଟମାଟୋ କିଣିବାକୁ ବାଧ୍ୟ ହେଉଛନ୍ତି । ଚାଷୀ ଓ ବେକାରୀଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଦେଶର କେତେକ ପ୍ରମୁଖ ରାଜ୍ୟରେ ଯେଉଁମାନଙ୍କର ଓଡ଼ିଶାଭଳି ପ୍ରାକୃତିକ ସମ୍ପଦରୁ ଆୟର ସୁବିଧା ନାହିଁ ସେମାନେ ସେମାନଙ୍କ ଲୋକଙ୍କୁ ବିଭିନ୍ନ ପ୍ରକାର ଜନହିତକାରୀ ଯୋଜନାରେ ବହୁ ଅଧିକ ସାହାଯ୍ୟ ଦେଉଛନ୍ତି । କିନ୍ତୁ ଏଠାରେ ମୋ ଗାଁ, ମୋ ବିକାଶ ନାମରେ ମାଳ ମାଳ ଠାକୁର ଘର, କ୍ଲବ ଘର କରାଯାଉଥିବା ବେଳେ ହଜାର ହଜାର ହେକ୍ଟର ଜମିରେ ତଳି ପକାଇବାକୁ ଗୋଟିଏ ହେଲେ ଏଲାଇପଏଣ୍ଟ ନାହିଁ । ପଶ୍ଚିମଓଡ଼ିଶାରେ ମରୁଡ଼ି ହେବାମାତ୍ରେ ଲୋକେ ଦାଦନ ଯାଉଛନ୍ତି । ଛତିଶଗଡ଼ରେ ଚାଷୀଙ୍କ ପାଇଁ ଉନ୍ନତ ମଣ୍ଡି ଥିଲାବେଳେ ଏଠାରେ ଆଦୌ ମଣ୍ଡିର ବ୍ୟବସ୍ଥା ନାହିଁ । ବିଭିନ୍ନ ସରକାରୀ ଯୋଜନା କମ୍ପାନୀମାନଙ୍କ ଇଙ୍ଗିତରେ ହେଉଥିବାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ କୌଣସି ଯୋଜନାରୁ ସୁଫଳ ପାଉନାହାଁନ୍ତି । ଅଭାବୀ ବିକ୍ରି ସମୟରେ ସରକାରଙ୍କର କେବେ ଦେଖା ମିଳେନାହିଁ । ସରକାରୀ ଅଫିସର ଓ ମନ୍ତ୍ରୀଙ୍କ ମାନସିକତାରୁ ଓଡ଼ିଶାରେ ଗଣ୍ଡା ଗଣ୍ଡା ଆଖୁକଳ ଓ ସୂତାକଳ ବନ୍ଦ ହୋଇଯାଇଥିଲେ ମଧ୍ୟ ସରକାର ଗୋଟିଏ ବି ଆଖୁକଳ କିମ୍ବା ସୂତାକଳ ପୁନରୁଦ୍ଧାର କରୁନାହାଁନ୍ତି । ଆଜିଯାଏ ଓଟିଏମ୍ ଚାଲୁ ନହେବା ତାହାର ନଗ୍ନ ଉଦାହରଣ । ସରକାର ଓମ୍‌ଫେଡ଼ ପ୍ରତିଷ୍ଠା ପାଇଁ ବାହାଦୂରୀ ନେଉଛନ୍ତି ମାତ୍ର କ୍ଷୀର ଦର ନ ବଢିବାରୁ ଉତ୍ପାଦନ କେତେ କମିଲାଣ ତାହା ସମୀକ୍ଷା ହେଉନାହିଁ । ବର୍ଦ୍ଧିତ ମୂଲିଆ ମଜୁରୀ ଓ ସାର ଦର ପାଇଁ ଚାଷୀ ଚାଷ ଛାଡ଼ିବାକୁ ବସିଲେଣି । ଅଥଚ ଆମ ସରକାର ଧାନ ଉପରେ ଟଙ୍କା ୫୦୦ ବୋନସ ଦେବାକୁ ଇଚ୍ଛାପ୍ରକାଶ କରିନାହଁନ୍ତି । ପଡ଼ୋଶୀ ଛତିଶଗଡ଼ କୁଇଣ୍ଟାଲ ପିଛା ୭୦୦ ଟଙ୍କା ବୋନସ ଦେଉଛି । ସେହିଭଳି ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା, ଦିଲ୍ଲୀ, ହରୟାଣା ଓ ଗୋଆରେ ବାର୍ଦ୍ଧକ୍ୟ ଭତ୍ତା ୨୨୫୦, ୨୦୦୦ ହେଲା ବେଳେ ଆମ ସରକାର ମାତ୍ର ୫୦୦ ଟଙ୍କା ଦେଇ ହାତବାନ୍ଧି ବସିଛନ୍ତି । ପଡ଼ୋଶୀ ମଧ୍ୟ ପ୍ରଦେଶରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଜଣକୁ ୨ ଲକ୍ଷ ମିିଳିଲା ବେଳେ ଏଠି ମିଳୁଛି ମାତ୍ର ୨୦ ହଜାର ଟଙ୍କା । ଏସବୁ ତଫାତ୍ ଓ ସରକାରଙ୍କ ଗରିବ ଓ କୃଷକ ବିରୋଧୀ ମନୋଭାବ ବିରୋଧରେ ମାସବ୍ୟାପୀ ବିଭିନ୍ନ ଜିଲ୍ଳାରେ ପଞ୍ଚାୟତ ବସାଇବାକୁ ସମସ୍ତ ଜିଲ୍ଲା ସଂଯୋଜକ ଓ ବ୍ଲକ ସଂଯୋଜକମାନଙ୍କ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ ଦେଇଛନ୍ତି । ଭୋଟ କି ଚୋଟ ମାଧ୍ୟମରେ ଚାଷୀମାନେ ଏଥର ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ସରକାରଙ୍କୁ ଜବାବ ଦେବେ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି । ଏହି ସାମ୍ବାଦି ସମ୍ମିଳନୀରେ ସଂଗଠନର ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ