ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ସମ୍ବନ୍ଧରେ ସେବା ପ୍ରତିନିଧିଙ୍କ ତରଫରୁ ସ୍ମାରକପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ବାର୍ଦ୍ଧକ୍ୟ ଭତ୍ତା ଉପଭୋକ୍ତା ୪ଦଫା ଦାବି ନେଇ ବିଏମ୍ସି ଅଫିସ ସାମନାରେ ଏକ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ। ଗାଡକଣ, ଶାଲିଆସାହି, ସାମନ୍ତରାପୁର, ବରମୁଣ୍ଡା ସମେତ ରାଜଧାନୀର କୋଣ ଅନୁକୋଣରୁ ଶତାଧିକ ବୃଦ୍ଧବୃଦ୍ଧା ଏକାଠି ହୋଇ ପ୍ରଚଳିତ ବାର୍ଦ୍ଧକ୍ୟ ଭତ୍ତା ପରିମାଣକୁ ୨୦୦୦ଟଙ୍କାକୁ ବୃଦ୍ଧି, ହରିଜନ ଓ ଆଦିବାସୀ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସରେ ପାଞ୍ଚ ବର୍ଷ କୋହଳ କରିବା, ଗତ ତିନି ବର୍ଷ ଧରି ହୋଇଥିବା ବାର୍ଦ୍ଧକ୍ୟ ଭତ୍ତା ଆବେଦନକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥା ଏବଂ ବିଧବା ଭତ୍ତା ଭଳି ସ୍ୱାମୀ ପରିତ୍ୟକ୍ତାଙ୍କୁ ମଧ୍ୟ ଭତ୍ତା ହିତାଧିକାରୀ ରେ ସାମିଲ କରିବା ସମେତ ବ୍ୟାଙ୍କ ମାଧ୍ୟମରେ ଦିଆଯାଉଥିବା ଭତ୍ତା ପାଇବାରେ ଅସୁବିଧା ଭୋଗ କରୁଥିବା ଭତ୍ତା ଧାରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଏମ୍ସିର ଅତିରିକ୍ତ ଆୟୁକ୍ତଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଚାଳିଶି ଡିଗ୍ରୀର ଡହଡହ ଖରାରେ ଶତାଧିକ ବୟସ୍କ ବ୍ୟକ୍ତି ବିଏମ୍ସି ଫାଟକ ସାମ୍ନାରେ ଏକ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ସେବା ପ୍ରତିନିଧି ତରଫରୁ ନୀଳମଣି ମିଶ୍ର ସହଯୋଗୀ ସଞ୍ଜୟ ପରିଡ଼ା, ସୈାଦାମିନି ସାମଲ, ଶିଶୁପାଳଗଡର ବାପି, ରଙ୍ଗମାଟିଆର ରାଣୀ ବେହେରା, ଜୟନ୍ତ ଭୋଇ, ହିନ୍ଦୁ ମହାସଭା ତରଫରୁ ଶାରଦା ପ୍ରସାଦ ମହାପାତ୍ର, ସମାଜସେବୀ ହୃଷିକେଶ ଭୋଇ, ଭାଷା ଆନ୍ଦୋଳନ ଆବାହକ ପବିତ୍ର ମହାରଥା ପ୍ରମୁଖ ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।


