ବାର୍ଷିକ ଋଣ ଯୋଜନା୨୦୧୯-୨୦ ପୁସ୍ତିକା ଉନ୍ମଚୋନ ।୮୫୩କୋଟି ୬୫ଲକ୍ଷ ୯୬ ହଜାର ଟଙ୍କାର ଋଣ ଯୋଜନା ।
ପାରଳାଖେମୁଣ୍ଡି, -(ଯୁଗାବ୍ଦନ୍ୟୁଜ) ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ଆନ୍ଧ୍ର ବ୍ୟାଙ୍କ) ଦ୍ୱାରା ସ୍ୱତନ୍ତ୍ର ପରାମର୍ଶ ବୈଠକ (ଡିସିସି) ଓ ବର୍ଷ ୨୦୧୯-୨୦ ପାଇଁ ବାର୍ଷିକ ଋଣ ଯୋଜନାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଋଣ ଯୋଜନା ପୁସ୍ତିକାକୁ ଉନ୍ମଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ବ୍ୟାଙ୍କ ଅଧିକାରୀ ଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଶ୍ରୀ ସାହା କୃଷକ, ବ୍ୟବସାୟୀ ଓ ବିଭିନ୍ନ ଉଦ୍ୟୋଗୀ ଆଦି ଦ୍ରୁତଗତିରେ ବିକାଶ ଘଟିବ ସେନେଇ ହିତାଧିକାରୀ ମାନଙ୍କୁ ତୁରନ୍ତ ଋଣ ପ୍ରଦାନ ପୂର୍ବକ ଜିଲାର ପ୍ରଗତିରେ ଭାଗିଦାରୀ ହେବାକୁ ଆହ୍ୱାନ କରିଥିଲେ । ଏହାସହ ଋଣ ଯୋଜନାର ଶତପ୍ରତିଶତ ଧାର୍ଯ୍ୟଲକ୍ଷ୍ୟ ହାସଲ ପାଇଁ ବ୍ୟାଙ୍କ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ବ୍ୟାଙ୍କର୍ସ କମିଟିର ଉପଦେଶ ସହ ଜିଲ୍ଲା ନାବାର୍ଡ ପି.ଏଲ୍.ପି.ର ସହାୟତାନେଇ ୨୦୧୯-୨୦ ଆର୍ଥିକ ବର୍ଷ ଗଜପତି ଜିଲ୍ଲାରେ ମୋଟ ୮୫୩କୋଟି ୬୫ଲକ୍ଷ ୯୬ ହଜାର ଟଙ୍କାର ଋଣ ମଂଜୁରୀ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେଥିମଧ୍ୟରେ ପ୍ରାଥମିକ କ୍ଷେତ୍ରକୁ ୮୧୨କୋଟି ୨୮ଲକ୍ଷ ୭୬ହଜାର ଟଙ୍କା ଓ ଅଣ ପ୍ରାଥମିକ କ୍ଷେତ୍ରକୁ ୪୧ କୋଟି ୩୭ଲକ୍ଷ ୨୩ହଜାର ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଋଣ ପରିମାଣ ଗତ ୨୦୧୮-୧୯ ଆର୍ଥିକ ବର୍ଷ ଧାର୍ଯ୍ୟ ଠାରୁ ୫ ପ୍ରତିଶତ ଅଧିକ ବୋଲି ଆନ୍ଧ୍ର ବ୍ୟାଙ୍କ ବ୍ରହ୍ମପୁରସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଭୁବନେଶ୍ୱର ନାୟକ ପ୍ରକାଶ କରିଛନ୍ତି । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଦାମୋଦର ଉଗୁରସାଣ୍ଡି ବିଗତ ୨୦୧୮-୧୯ ଋଣ ଯୋଜନାର ଲକ୍ଷ୍ୟ ପୁରଣ ଉପରେ ଆଲୋକପାତ କରି ଆଗାମୀ ବର୍ଷର ଋଣ ଯୋଜନାର ସଫଳ ରୂପାୟନ ପାଇଁ ଆର୍ଥିକ ବର୍ଷ ଆରମ୍ଭରୁ ପ୍ରଚେଷ୍ଠା କରିବାକୁ ବ୍ୟାଙ୍କ ମାନଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଆର୍ବିଆଇର ସହକାରୀ ସାଧାରଣ ପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ, ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଚିନ୍ତାମଣୀ ଭୂୟାଁ, ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ପି.ବିନୋଦ କୁମାର ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଜିଲ୍ଲା ସଂଯୋଜକ ଓ ଲାଇନ୍ ଡିପାର୍ଟମେଣ୍ଟ ତଥା ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀ ଉଗୁରସାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।