ବାର୍ଡ଼ ଫ୍ଲୁ ଆଶଙ୍କା, ହିଞ୍ଜିଳିକାଟୁରେ ଚିକେନ୍ ବ୍ୟବସାୟ ମାନ୍ଦା
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଡଓଡ଼ିଶାର ରାଜଧାନୀ ଭୂବନେଶ୍ୱରରେ ବାର୍ଡ଼ ଫ୍ଲୁ ରୋଗ ଦେଖାଯିବା ପରେ ସେଠାରେ କୁକୁଡ଼ା ମରା ଅଭିଯାନ ଆରମ୍ଭ କରାଯାଇଛି । ସେହି କ୍ରମରେ ଗଂଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ବିଭିନ୍ନ ସହରାଂଚଳରେ ମଧ୍ୟ ବାର୍ଡ଼ ଫ୍ଲୁର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନଅଂଚଳରୁ ପ୍ରାୟ ୭୫୦ ଟି ନମୁନା ସଂଗ୍ରହ ହୋଇ ପରୀକ୍ଷଣ ପାଇଁ ପଠାଯାଇଛି । ତେବେ ଗଂଜାମ ଜିଲ୍ଲାରେ ବାର୍ଡ଼ ଫ୍ଲୁ ଦେଖାଯାଇନଥିଲେ ମଧ୍ୟ ହିଂଜିଳିକାଟୁ ଅଂଚଳରେ ଚିକେନ୍ ବ୍ୟବସାୟ ମାନ୍ଦା ପଡ଼ିଯାଇଛି । ପକ୍ଷୀଙ୍କ ଠାରେ ଦେଖାଯାଉଥିବା ବାର୍ଡ଼ ଫ୍ଲୁ ରୋଗ ଚିହ୍ନଟ ପାଇଁ ଜିଲ୍ଲାର ବିଭିନ୍ନ ବ୍ଳକ, ପୌରାଂଚଳ ଓ ଏନଏସିରେ ଆଜିକୁ ପ୍ରାୟ ମାସେ ଧରି ନମୁନା ଚିହ୍ନଟ ଅଭିଯାନ ଚାଲୁ ରହିଛି ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତ୍ରିନାଥ ନାୟକ କହିଛନ୍ତି । ହିଂଜିଳିକାଟୁ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ଲମ୍ବୋଦର ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରାଣୀ ନିରୀକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ ହୋଇଛି । ଉକ୍ତ ଟିମ୍ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ଗ୍ରାମାଂଚଳକୁ ଯାଇ କୁକୁଡ଼ା ଫାର୍ମ, ଜଳାଶୟକୁ ଯାଇ ବାର୍ଡ଼ ଫ୍ଲୁ ରୋଗ ହୋଇଛି କି ନାହିଁ ତାହା ଯାଂଚ କରୁଛନ୍ତି । କୁକୁଡ଼ା ଫାର୍ମ ଓ ଘରେ ପାଳିତ କୁକୁଡ଼ା ଠାରୁ ନମୁନା ସଂଗ୍ରହ କରାଯାଇ ତାକୁ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି ବୋଲି ସ୍ଥାନୀୟ ପ୍ରାଣୀ ଚିକିତ୍ସାଧିକାରୀ ମହାପାତ୍ର କହିଛନ୍ତି । ତେବେ ସ୍ଥାନୟ ଅଂଚଳରେ ବାର୍ଡ଼ ଫ୍ଲୁ ଆଶଙ୍କା ଦେଖା ଦେଇନଥିଲେ ମଧ୍ୟ ଚିକେନ ବ୍ୟବସାୟ ମାନ୍ଦା ରହିଛି, ଦୈନିକ ୧୦୦ କିଲୋ ଚିକେନ ପରିବର୍ତେ ମାତ୍ର ୪୦ କିଲୋ ଚିକେନ ବିକ୍ରି ହେଉଥିବା ଅଂଚଳର ଚିକେନ ବ୍ୟବସାୟୀ ମାନେ କହିଛନ୍ତି ।


