ବାଲିଆପାଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା, ମୁଖ୍ୟ ଆସାମୀକୁ ଗିରଫ ଦାବି
ବାଲେଶ୍ୱର,(ଯୁଗାଦ୍ଦନ୍ୟୁଜ) ଗତ ଗୁରୁବାର ୩୦ ତାରିଖ ରାତିରେ ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଏ ପ୍ରକାର ଅମାନୁଷିକ କାଣ୍ଡ ଘଟାଉଥିବା ଦୋଷୀ ଦୁବୃର୍ତ୍ତକୁ ତୁରନ୍ତ ଗିରଫ କରିବାପାଇଁ ଦାବି କରାଯାଇଛି । ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲିଉଠାଣ ଖବର ପ୍ରକାଶ କରି ରାଜସ୍ୱ ଫାଙ୍କି ଦେଉଥିବା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂପର୍କରେ ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଭଳି ଘଟଣା ବିଭିନ୍ନ ସମୟରେ ବାଲିଆପାଳ ଅଞ୍ଚଳରେ ଘଟୁଛି । ଗଣତନ୍ତ୍ରର ଜାଗ୍ରତପ୍ରହରୀ ଏବଂ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ ଗଣମାଧ୍ୟମର ବାଲିଆପାଳ ପ୍ରତିନିଧିମାନଙ୍କୁ ବାରମ୍ବାର ଏଭଳି ଆକ୍ରମଣ ପଛରେ ପ୍ରତିପତ୍ତିଶାଳୀ କ୍ଷମତାସୀନ ଅସାଧୁ ପ୍ରଶାସନିକ ଅଧିକାରୀଙ୍କର ନିରବ ସମର୍ଥନ ଓ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ ହେଉଛି । ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଓ ସେମାନଙ୍କର ମୁଖ୍ୟଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଆଜି ଏଠାରେ ଏକ ପ୍ରେସ୍ ବିବୃତ୍ତିରେ ବାଲେଶ୍ୱରର ପୂର୍ବତନ ପୌରପାଳ ତପନ ଚକ୍ରବର୍ତ୍ତୀ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଚାଷୀ ଏକତା ମଞ୍ଚର ଜିଲ୍ଲା ସଭାପତି ତଥା ବାଲିଆପାଳ ଘାଟୀ ବିରୋଧୀ ଜନ ଆନ୍ଦୋଳନର ନେତା ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ଆବାହକ ଅନୁଜ ମହାପାତ୍ର, ସିଭିଲ ସୋସାଇଟିର ସଂପାଦକ ମନୋଜ ନାୟକ, ଆଇନଜୀବି ନିରଞ୍ଜନ ପରିଡ଼ା ଓ ଶାନ୍ତନୁ ଦାସ, ଗଣଚେତନା ମଞ୍ଚର ସଭାପତି କୁଶଧ୍ୱଜ ଜେନା, କାଳିପଦା ବଜାର କମିଟି ସଭାପତି ତଥା ସମାଜସେବୀ ନିତ୍ୟାନନ୍ଦ ଦାସ, ଚାଷୀନେତା ଅନନ୍ତ ଜେନା, ବିଜୟ ଗିରି ଓ ପ୍ରଦୀପ ଜେନା ପ୍ରମୁଖ ଘଟଣାର ଦୃଢ଼ ନିନ୍ଦା କରିବା ସହ ସମସ୍ତ ଦୁବୃର୍ତ୍ତଙ୍କୁ ଅବିଳମ୍ବେ ଗିରଫ କରିବାଲାଗି ଜିଲ୍ଲା ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି ।