ବାଲିଆରେ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ ରେମୁଣା ବ୍ଲକର ବାଲିଆ ଗ୍ରାମ ପଂଚାୟତରେ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଥମେ କୁକୁଡାପଦା ଗ୍ରାମରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରିଥିଲେ । ପୂଜାର୍ଚ୍ଚନା ପରେ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛୋଟ ଛୋଟ ପିଲାଙ୍କ ଯତ୍ନ ସହ ସେମାନଙ୍କ ଆଦ୍ୟ ପାଠପଢା ପାଇଁ ଉଦ୍ଦିଷ୍ଟ ଏହି କେନ୍ଦ୍ରର ମହତ୍ୱ ରକ୍ଷା କରିବାକୁ ଉପସ୍ଥିତ ସୁପରଭାଇଜର, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ । ପରେ ସାଂସଦ ବାଲିଆ ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ ଟ୍ରାଇ ସାଇକେଲ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ମାଧ୍ୟମରେ ବାଲିଆ ପଂଚାୟତର ଘରକୁ ଘର ବୁଲି ଅଳିଆ ସଂଗ୍ରହ ହେବ । ପଞ୍ଚାୟତ ସ୍ତରରେ ଏହି ଭଳି ବ୍ୟବସ୍ଥାର ଆରମ୍ଭ ଦ୍ୱାରା ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବୋଲି ସାଂସଦ ଶ୍ରୀ ଷଡଙ୍ଗୀ ଆଶା ପ୍ରକାଶ କରିଥିଲେ । ଦୁଇଟି କାର୍ଯ୍ୟକ୍ରମରେ ବାଲିଆ ସରପଂଚ ନିତାଇ ଚରଣ ନାୟକ ପୌରୋହିତ୍ୱ କରିବା ସହିତ ଅଙ୍ଗନବାଡି କେନ୍ଦ୍ର ଆବଶ୍ୟକତା ଏବଂ ସଫେଇ ଟ୍ରାଇ ସାଇକେଲ ବ୍ୟବସ୍ଥାର ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । କେବଳ ଏତିକି ନୁହେଁ ବାଲିଆ ପଂଚାୟତର ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସେ ସର୍ବଦା ଉଦ୍ୟମ କରିବେ ବୋଲି ସରପଂଚ ଶ୍ରୀ ନାୟକ କହିଥିଲେ । ରେମୁଣାର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବାଲିଆ ସରପଞ୍ଚ ଶ୍ରୀ ନାୟକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । କେବଳ ବାଲିଆ ନୁହେଁ ବରଂ ବିଜେପି ସମର୍ôଥତ ପ୍ରତ୍ୟେକ ସରପଞ୍ଚ ସେମାନଙ୍କ ଅଂଚଳରେ ବିକାଶମୁଳକ କାର୍ଯ୍ୟ ଆଗେଇ ନେବା ସହ ଲୋକଙ୍କ ସମସ୍ୟା ଦୂରୀକରଣକୁ ଗୁରୁତ୍ୱ ଦେଇ ଚାଲିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆ ପଞ୍ଚାୟତ ସମିତି ସଭ୍ୟା ଶିବାନୀ ହାଁସଦା, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ସୁକୁମାର ଦାସ, ବିନୟ ପଢ଼ିଆରୀ, ନିତୁନ କୁମାର ସାହା, ରତିକାନ୍ତ ରାଉତ, ରବିନାରାୟଣ ପାଣିଗ୍ରାହୀ, ପ୍ରତାପ ଦେ, ଅଭିଜିତ ପାଣିଗ୍ରାହୀ, ରତିକାନ୍ତ ବାଗୁରାଇ, ତପନ କୁମାର ଦାସ, ରୁପିବତୀ ମାଝୀ, ଭାରତୀ ସିଂ, ସୁଦୀପ ଦାସ, ସୁକାନ୍ତି ମହାଳିକ, ବିଶ୍ୱାଳ ବାବୁ, ବନମାଳି ନାୟକ, ବିକାଶ କୁମାର ସାହା, ତଡିପ କରଣ, ଓମ ପ୍ରକାଶ ପାଣିଗ୍ରାହୀ, ଶିବ ପ୍ରସାଦ ମହାଳିକ, ପ୍ରଶାନ୍ତ ମହାଳିକ ପ୍ରମୁଖ ଦୁଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସମେତ ଶତାଧିକ ଏସଏଚଜି ମହିଳା ଏଥିରେ ଉପସ୍ଥିତ ଥିଲେ ।