ବାଲିଗୁଡ଼ା, ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନେଟୱାର୍କ ବ୍ୟବସ୍ଥା ତୁରନ୍ତ ସମାଧାନ କରାନଗଲେ ଭୋଟ ବର୍ଜନ ପାଇଁ ନିଷ୍ପତି
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଡିଜିଟାଲ ଓଡିଶା ଓ ଡିଜିଟାଲ ଇଣ୍ଡିଆ ସ୍ଲୋଗାନ ଦେଉଥିବା ରାଜ୍ୟ ଓ କେନ୍ଦ୍ର ସରକାର କିଭଳି ପଞ୍ଚାୟତ ବାସୀ ଙ୍କୁ ଅବହେଳା କରି କରି ଆସୁଛନ୍ତି ତାର ପ୍ରତିବାଦ କରି ଏକାଠି ହୋଇଛନ୍ତି ପଞ୍ଚାୟତ ର ଶିକ୍ଷିତ ଯୁବକ, ଯୁବତୀ ଓ ଅଭିଭାବକ। ନେଟୱାର୍କ ନାହିଁତ ଭୋଟ ନାହିଁ, ଏଭଳି ସ୍ଲୋଗାନ ଦେଇ ଏକାଠି ହୋଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ବାଲିଗାଡା ପଞ୍ଚାୟତ ବାସୀ। ଆଜି କାଲି ପାଠ ପଢ଼ିବା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ,ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ହୋଇ ପଡିଥିବା ବେଳେ ଗାଁ କୁ ନେଟୱାର୍କ ସଂଯୋଗ ହୋଇନଥିବାରୁ ସବୁ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ପିଲା ପାଠ ପଢ଼ିବା ପାଇଁ ୫ କି.ମି. ଚାଲି ପାହାଡ ଉପରେ ଚଢ଼ି ନେଟୱାର୍କ କୁ ଯାଇ ପାଠ ପଢୁଥିବା କହିଛନ୍ତି। ଏହା ସହ ପଞ୍ଚାୟତ ର ଲୋକେ ଥାନା, କୋର୍ଟ କଚେରୀ ଯିବା ପାଇଁ ବାଲିଗାଡ଼ା ଠାରୁ ସିମନବାଡି ୮ କି.ମି. ରାସ୍ତା ନିର୍ମାଣ ଓ ପାନୀୟ ଜଳର ସମସ୍ୟା ସଂପର୍କ ରେ ମଧ୍ୟ ରାଲି କରି ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ବାରମ୍ୱାର ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବାଧ୍ୟହୋଇ ସୁଜିତ ପ୍ରଧାନ, ପୂଜା ରାଣୀ ପ୍ରଧାନ, ରୀନା କହଁର, ବିଭୀଷଣ ପ୍ରଧାନ, ସରପଞ୍ଚ, ପ୍ରମୁଖ ଲୋକେ ଭୋଟ ବର୍ଜନ ସହ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଇଛନ୍ତି। ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପଞ୍ଚାୟତ ବାସୀଙ୍କ ସମସ୍ୟା ସୁଧାରି ବାକୁ ଦାବୀ ହୋଇଛି l


