ବାଲିଗୁଡା:ପ୍ରହସନ ପାଲଟିଛି ମୋ ସରକାର କକ୍ଷ !

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  ରାଜ୍ୟ ସରକାର ମୋ ସରକାରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ଥିବା ମୋ ସରକାର କକ୍ଷ ଏକ ପ୍ରକାର ପ୍ରହସନ ପାଲଟିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକରେ । ସାଧାରଣ ଜନତାଙ୍କ ବିଭିନ୍ନ ପ୍ରକାର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ନିର୍ମାଣ କରୁଛନ୍ତି । କିନ୍ତୁ ସେ ସବୁ ଭିତ୍ତିଭୂମି ଅନେକାଂଶରେ ଲାଗୁ ହେଉନାହିଁ । ରାଜ୍ୟ ସରକାର ପ୍ରତି ବ୍ଳକକାର୍ଯ୍ୟାଳୟ ପରିସରରେ ମୋ ସରକାର କକ୍ଷ ଖୋଲିଥିଲେ ମଧ୍ୟ ଏବେ ମଧ୍ୟ ବହୁ ହିତାଧିକାରୀ ଏ ଦୂଆରରୁ ସେ ଦୂଆରକୁ ହେଉଛନ୍ତି । ଏପରିକି ଅନେକ ମୋ କକ୍ଷ ସମ୍ମୁଖରେ ଘଣ୍ଟା ଘଣ୍ଟା  ଅପେକ୍ଷା କରୁଥିଲେ ମଧ୍ୟ ତାଲା ଖୋଲିବାର ନାଁ ଧରୁନାହିଁ ବୋଲି ଅଭିଯୋଗ ହୋଇଛି । ଏଭଳି ସ୍ଥଳେ ସାଧାରଣର ହିତାଧିକାରୀ ହେଉ କିମ୍ବା ନାଗିରିକ ଯେଉଁ ସୁବିଧା ସୁଯୋଗ ପାଇବା କଥା ତାହା ପାଇ ପାରୁନାହାନ୍ତି ବୋଲି ଅନେକ ଅଭିଯୋଗ କରିଛନ୍ତି । ବାଲିଗୁଡ଼ା ବ୍ଳକ ପରିସରରେ ଥିବା ମୋସରକାର କକ୍ଷରେ ଦିନ ଦିନ ଧରି ତାଲା ଝୁଲୁଥିବା ଯୋଗୁଁ ଏହାକୁ ନେଇ  ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ତେବେ କେଉଁ କାରଣ ଯୋଗୁଁ ମୋ ସରକାର କକ୍ଷରେ ତାଲା ଝୁଲୁଛି ସେ ନେଇ ବାଲିଗୁଡ଼ା ବି.ଡ଼ି.ଓ ନରେଶ କୁମାର ସାହୁଙ୍କୁ ଫୋନ୍ ମାଧ୍ୟମରେ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ। ଜିଲାପ୍ରଶସାନ ଏ ଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡ଼ିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ