ବାଲିଗୁଡାରେ ଶାରଦୀୟ ଦୁର୍ଗାପୂଜା ପାଳନ ନିମନ୍ତେ ଉପଖଣ୍ଡ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଗାମୀ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଏବଂ କାଳୀପୂଜାକୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡ଼ମ୍ବର ଭାବେ ଆନନ୍ଦ ଉଲ୍ଲାସ, ଶାନ୍ତିପୂର୍ଣ୍ଣ ଏବଂ ସୌହାର୍ଦପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହେବା ନିମନ୍ତେ ଶନିବାର ଦିନ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁର୍ଗାପୂଜା କିପରି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ହେବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ବୈଠକରେ ଉପଜିଲ୍ଲପାଳ ଶ୍ରୀମତୀ ମଧୁମିତା ସଭାପତିତ୍ବ କରିବା ସହିତ ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ରାବଣ ପୋଡି ଏବଂ ବିସର୍ଜନ ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ନୀରବଛିନ୍ନ ବିଦ୍ୟୁତ ସରବରାହ, ଅଳିଆ ଆବର୍ଜନାର ସୁପରିଚାଳନା ଏବଂ ପାନୀୟ ଜଳର ବ୍ୟବସ୍ଥା ଭଳି ବିଭିନ୍ନ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବା ସହ ପୂଜା କମିଟି କର୍ମକର୍ତ୍ତା, ନେତୃସ୍ଥାନୀୟ ବ୍ୟକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। । ବାଲିଗୁଡା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ର ସଭାପତି ଲଳିତ କୁମାର ପାତ୍ର ଏବଂ ସମ୍ପାଦକ ଶିବରାମ ପ୍ରଧାନୀ ପୂଜାରେ ଆୟୋଜିତ ହେବାକୁ ଥ‌ିବା ବିଭିନ୍ନ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସୂଚନା ପ୍ରକାରେ ୨୨ ତାରିଖ ରବିବାର ଦିନ ଖଡଗ ନଦୀରୁ କଳସ ଯାତ୍ରାରେ ଆସି ଗ୍ରାମଦେବୀଙ୍କୁ ଆମନ୍ତ୍ରଣ ପରେ ସପ୍ତମୀ ପୂଜା ଆରମ୍ଭ, ମହାଷ୍ଟମୀ ଦିନ ରାତ୍ରରେ ମନ୍ଦିର ପରିସରରେ ମହାଷ୍ଟମୀ ଭୋଗ ହେବା ପରେ ସମିତି ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଖେଳ ପଡିଆରେ ରାବଣ ପୋଡି ଉତ୍ସବ ହେବ, ୨୫ ଓ ୨୬ ତାରିଖ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ଓ ମହାଭାରତ ଆୟୋଜନ ହେବା ପାଇଁ ସମିତି ତରଫରୁ ସ୍ଥିର କରାଯାଇଛି । ୨୭ ତାରିଖ ରେ ମା’ଦୁର୍ଗାଙ୍କ ଭସାଣି ଉତ୍ସବ ଯଥା ରୀତିନୀତି ଅନୁଯାଇ ଅନୁଷ୍ଠିତ ହେବ। ୨୮ ତାରିଖ ଦିନ ଲକ୍ଷ୍ମୀପୂଜା ଓ ୨୯ ରେ ଭଷାଣି ଉତ୍ସବ ହେବ ଏବଂ ନଭେମ୍ବର ୧୨ ରେ ଶ୍ୟାମାକାଳୀ ପୂଜା ଓ ଦୀପାବଳି ଉତ୍ସବ କରାଯିବ । ନଭେମ୍ବର ୧୪ ରେ ମା’ କାଳୀଙ୍କ ଭସାଣି ଉତ୍ସବ କରାଯିବ ବୋଲି ସମିତି ତରଫରୁ ପ୍ରକାଶ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ବୈଠକକୁ ପରିଚାଳନା କରିଥିବା ବେଳେ ସ୍ଥାନୀୟ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ