ବାଲିଗୁଡା ଉପଖଣ୍ଡରେ ଆବାସ ଯୋଜନା ସାତ ସପନ ଭଙ୍ଗା ଘରେ ବିତୁଛି କୃଷ୍ଣ ଓ ବିଧବା ମାଙ୍କ ଜୀବନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି l ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ଲେଖାଏଁ ଯୋଗାଇ ଦେଉଛନ୍ତି l ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଛି l ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବାବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉ ଥିବା ଅଭିଯୋଗ ହେଉଛି l ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି l ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛା ଶକ୍ତି ର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବ ରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି l ଏହାର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର କିରିକୁଟି ଗ୍ରାମ ପଞ୍ଚାୟତରେ l ଗତ ଫାଇଲିନରେ କିରିକୁଟି ଉପର ସାହିର କୃଷ୍ଣ ଚନ୍ଦ୍ର ବେହେରାଙ୍କ ଘର ଛପର ଉଡ଼ିଗଲା ଫଳରେ ଅର୍ଦ୍ଧ ଭଗ୍ନ ଘରେ ମା ଓ ପୁଅଙ୍କ ବିତୁଛି ଦିନ, ବର୍ଷା ହେଲେ କଥା ସରିଲା ମୁଣ୍ଡଗୁଞ୍ଜିବାକୁ ଜାଗା ନାହିଁ l ମାଆ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଉଥିବା ବେଳେ ରୋଗୀଣା ପୁଅ କୃଷ୍ଣ ଚନ୍ଦ୍ର ପର ପିଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି l ଏହି ଆବାସ ଯୋଜନା ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡି ନୟାନ୍ତ ହୋଇଛନ୍ତି, କିନ୍ତୁ ଘରଟିଏ ମିଳିନାହିଁ ବୋଲି କୃଷ୍ଣ ପ୍ରକାଶ କରିଛନ୍ତି l କନ୍ଧମାଳ ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l


