ବାଲିଗୁଡା ଉପଖଣ୍ଡରେ ଗ୍ରାମାଞ୍ଚଳର ୫୦% ପରିବାର ଖାଇବା କମାଇଦେଲେଣି
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ମହାମାରୀ ଜନିତ ଲକ୍ଡାଉନ ଯୋଗୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଗ୍ରାମାଞ୍ଚଳ ଜନସାଧାରଣ ଖାଇବା କମାଇଦେଇଥିବା ଏକ ବେ-ସରକାରୀ ସର୍ଭେରୁ ଜଣାପଡ଼ିଛି। ଲକ୍ଡାଉନ ସମୟରେ ଉପଖଣ୍ଡର ୧୨ଟି ବ୍ଲକର ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ପରିବାର ଉପରେ ଏକ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧା ପରିବାର ଲକ୍ଡାଉନ ବେଳେ ଖାଇବା କମାଇଦେଇଥିବା କହିଛନ୍ତି। ସେହିପରି ୬୮ ପ୍ରତିଶତ ପରିବାର ବ୍ୟଞ୍ଜନ ସଂଖ୍ୟା କମାଇଥିବା ସର୍ଭେରୁ ଜଣାପଡିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ୮୪ ପ୍ରତିଶତ ପରିବାରକୁ ଖାଦ୍ୟଶସ୍ୟ ମିଳିଥିବାବେଳେ ୩୭%ଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚୁଛି। ୨୪ ପ୍ରତିଶତ ଖାଦ୍ୟଶସ୍ୟ ଗାଁର ଅନ୍ୟ ଲୋକଙ୍କଠାରୁ ଉଧାର ନେଉଥିବାବେଳେ ୧୨%ଙ୍କୁ ମାଗଣା ଖାଦ୍ୟ ମିଳୁଛି। ସର୍ଭେ ଅନୁଯାୟୀ ପରିବାରଗୁଡ଼ିକ ରବି ଅପେକ୍ଷା ଖରିଫ୍ ଶସ୍ୟ ଉପରେ ଅଧିକ ନିର୍ଭର କରିଥିଲେ। ଏବେ ସେମାନଙ୍କ ପାଖରେ ଗଚ୍ଛିତ ଶସ୍ୟ ସରି ସରି ଆସିଲାଣି। ତେଣୁ ସେମାନେ ଦିନକୁ କମ୍ ଥର ଖାଇବା ସହ ଅଳ୍ପ ଖାଇବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ପିଡିଏସ୍ ଉପରେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଲକ୍ଡାଉନ ଯୋଗୁ ଖରିଫ ଚାଷ ପାଇଁ ପ୍ରସ୍ତୁତି ମଧ୍ୟ କମିଯାଇଛି। ଏଥିପାଇଁ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ବିହନ, ସାର ଓ କୃଷିଋଣ ଯୋଗାଇଦିଆଯିବା ଜରୁରୀ ବୋଲି ଏହି ସର୍ଭେରେ ଉଲ୍ଲେଖ କରାଯାଇଛି । ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ରାଜ୍ୟର ଭିଟା ମାଟିକୁ ଫେରୁଥିବାରୁ ଗ୍ରାମାଞ୍ଚଳ ସ୍ଥିତି ଆହୁରି ଖରାପ ହେବାରେ ଲାଗିଛି । ବାହାରେ କଳକାରଖାନାରେ କାମ କରୁଥିବା ଏହି ଲୋକମାନେ ଗାଁରେ କାମଧନ୍ଦା ନ ପାଇଁ ବେରୋଜଗାର ହେବାର ଅନୁମାନ କରାଯାଉଛି । ଲକ୍ଡାଉନ ଯୋଗୁଁ କେତେକ ଅଞ୍ଚଳରେ ଗୋପାଳନ ଓ କୁକୁଡ଼ା ଚାଷ ଭଳି ବିଭିନ୍ନ ପନିପରିବା ଚାଷ ଗୁରୁତର ପ୍ରଭାବିତ କରିଛି। ଖର୍ଚ୍ଚ କମାଇବା ଲାଗି ଲୋକେ ଖାଦ୍ୟ ଅଭ୍ୟାସ ବଦଳାଇବାକୁ ବାଧ୍ୟ ହୋଇଛନ୍ତି।ସମଗ୍ର କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଓଡିଶା ଭଳି ବହୁ ରାଜ୍ୟରେ ଏହି ସର୍ଭେ କରାଯାଇଛି । ସିଭିଲ୍ ସୋସାଇଟି ସଂଗଠନ, ପିଆର୍ଏଡିଏଏନ୍, ଆକ୍ସନ ଫର ସୋସିଆଲ ଆଡଭାନ୍ସମେଣ୍ଟ, ବିଏଆଇଏଫ୍, ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ ଫାଉଣ୍ଡେଶନ, ଗ୍ରାମୀଣ ସହର, ଏସ୍ଏଏଟିଏଚ୍ଆଇ-ୟୁୂପି ଏବଂ ଆଗା ଖାନ୍ ରୁରାଲ ସପୋର୍ଟ ପ୍ରୋଗ୍ରାମ ମିଳିତ ଭାବେ ଏହି ସର୍ଭେ କରିଥିବାବେଳେ ବିକାଶ ଅନଭେଶ ଫାଉଣ୍ଡେଶନ ଓ ସମ୍ବୋଧୀ ତରଫରୁ ଗବେଷଣାତ୍ମକ ସହାୟତା ଯୋଗାଇଦିଆଯାଇଥିଲା।