ବାଲିଗୁଡା ବିଧାନସଭା ନିର୍ବାଚନ:ତ୍ରିମୁଖୀ ପ୍ରତିଦ୍ବନ୍ଦିତା ସ୍ପଷ୍ଟ : ତିନି ପ୍ରମୁଖ ଦଳର ରଣ କୌଶଳ ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବରୁ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ରବିବାର ତାଙ୍କୁ ପରିରର୍ତ୍ତନ କରି ଦଳ ଉପେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଛି। ଏହା ପରେ ଏଠିକାର କଂଗ୍ରେସ ରାଜନୀତି ପୂର୍ବେପେକ୍ଷା ବର୍ତ୍ତମାନ ଅଧିକ ଚଳଚଞ୍ଚଳ ହୋଇଉଠିଛି। ଏହି ଆସନରେ ଗତ ନିର୍ବାଚନ ଗୁଡିକ ଭଳି ଚଳିତ ଥର ମଧ୍ୟ ତ୍ରିମୁଖୀ ପ୍ରତିଦ୍ଵନ୍ଦିତା ହେବାକୁ ଯାଉଥିବା ସ୍ପଷ୍ଠ ହୋଇଯାଇଛି। ବିଜେଡି ପକ୍ଷରୁ ବର୍ତ୍ତମାନର ବିଧାୟକ ଚକ୍ରମଣି କହଁର ଦ୍ଵିତୀୟ ଥର ପାଇଁ ଦଳୀୟ ଟିକଟ ପାଇଛନ୍ତି। ସେହିପରି କଂଗ୍ରେସ ଦଳରୁ ଉପେନ୍ଦ୍ର ପ୍ରଧାନ ଓ ବିଜେପିରୁ କଳ୍ପନା କହଁର ଟିକଟ ପାଇବା ପରେ ବିଭିନ୍ନ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ସିମନ ମଳିକଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୨୦୧୪ରୁ ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଛି । ୨୦୧୪ରେ ରାଜୀବ ପାତ୍ର ବିଜେଡି ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଥିବାବେଳେ ୨୦୧୯ ରେ ଚକ୍ରମଣି ବିଜେଡି ଟିକଟ ପାଇ ବିଜୟୀ ହୋଇଥିଲେ । ଉଲ୍ଲେଖନୀୟ ଘଟଣା କ୍ରମରେ ୨୦୦୦ରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ଟି ନିର୍ବାଚନରେ ବାଲିଗୁଡ଼ାରେ କଂଗ୍ରେସ ପ୍ରାର୍ଥୀ ଦ୍ଵିତୀୟ ସ୍ଥାନରେ ରହିଆସୁଛନ୍ତି । ଇତି ମଧ୍ଯରେ ରେ ପୁଣି ଥରେ ଏଠାରୁ ବିଧାୟକ ଚକ୍ରମଣିଙ୍କୁ ଟିକଟ ମିଳିଥିବାରୁ ବିଜେଡି ତାହାର ସମସ୍ତ ଆଶାୟୀ, କର୍ମକର୍ତ୍ତା, ପଞ୍ଚାୟତ ସ୍ତରୀୟ କର୍ମୀଙ୍କୁ ଏକଜୁଟ କରି ନିର୍ବାଚନ ଲଢିବାକୁ ଉଦ୍ଯମ ଆରମ୍ଭ କରିଦେଇଛି । ଦଳ ପୁଣି ଥରେ ଏଠାରେ ନିଜର ପ୍ରଭାବ ପ୍ରଦର୍ଶନ କରିବାକୁ ଯୋଜନା କରୁଥିବାବେଳେ ବିଜେପି ଓ କଂଗ୍ରେସ ଏହାର ମୁକାବିଲା ନିମନ୍ତେ ସେମାନଙ୍କର ସବୁଠାରୁ ଅଲଗା ନୂତନ ରଣକୌଶଳ ଆରମ୍ଭ କରି ଦେଇଛନ୍ତି। ଯେଉଁଥିପାଇଁ କଂଗ୍ରେସ ତାହାର ପ୍ରାର୍ଥୀ ପରିବର୍ତ୍ତନ କରିଥ‌ିବା ଚର୍ଚ୍ଚା ହେଉଛି। ବିଜେପି ଚଳିତ ଥର ମହିଳା କାର୍ଡ ଖେଳି ଜଣେ ଉଚ୍ଚ ଶିକ୍ଷିତା ସ୍ଥାନୀୟ ଆଦିବାସୀ ମହିଳା କଳ୍ପନା କହଁରଙ୍କୁ ପ୍ରାର୍ଥୀ କରିଛି । କଳ୍ପନା ଟିକଟ ପାଇବା ପରେ ବିଜେପି କର୍ମୀ ଘରକୁ ଘର ଯାଇ ଦଳ ତଥା ସଂଗଠନକୁ ମଜବୁତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।କୁଇ ସମାଜ ତରଫରୁ ବାଲିଗୁଡା ଆସନର ବିଜେପି ପ୍ରାର୍ଥୀ ଅଣ ଆଦିବାସୀ ବୋଲି କୁହାଯିବା ସହ ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ଏହିସବୁ କାରଣରୁ ବାଲିଗୁଡ଼ା ବିଧାନସଭା ଆସନକୁ ନେଇ ନିର୍ବାଚନୀ ରାଜନୀତି ସରଗରମ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ