ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି l ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି। ଶୁକ୍ରବାର ବାଲିଗୁଡା ସହରର ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବାଲିଗୁଡା ସ୍ଥାନିତ ହୋଇ ଥଣ୍ଡା ସହର ପାଇଁ ଚର୍ଚ୍ଚାରେ ରହିଛି l ବାତ୍ୟା,ବର୍ଷା, ମେଘ ପରେ ଗତ ଦୁଇ ଦିନ ହେଲା ଆକାଶ ନିର୍ମଳ ରହିବା ସହ ଥଣ୍ଡାର ପ୍ରକୋପ ଧୀରେ ଧୀରେ ଅନୁଭୂତ ହେବା ପରେ ଗତ ରାତିରୁ ଥଣ୍ଡା ନିଜ ପ୍ରକୋପ ଦେଖେଇଛି। ପ୍ରବଳ ଥଣ୍ଡାରେ ସାରା ଅଞ୍ଚଳ ଥରୁଛି। ବାଲିଗୁଡା ସହରର ତାପମାତ୍ରା ଆଜି ୯.୪ ଡିଗ୍ରୀ ଥିବା ବେଳେ ଆଭ୍ୟନ୍ତରୀଣ ପାହାଡ଼ ପର୍ବତ ଘେରା ଗ୍ରାମାଞ୍ଚଳ ରେ ତାପମାତ୍ରା ଆହୁରି ଏକ ଡିଗ୍ରୀ କମ ରହୁଥିବା ସୂଚନା ମିଳିଛି।ଏହାସହ ଗ୍ରାମାଞ୍ଚଳର ରେ ଶୀତ ର ପ୍ରକୋପ ଆହୁରି ଅଧିକ ରହିଛି।ଥଣ୍ଡା ଯୋଗୁଁ ହାତଗୋଡ଼ କାଲ ମାରିବା ସହ ନିଆଁର ସାହାରାରେ ଗ୍ରାମାଞ୍ଚଳ ରେ ଲୋକ ରହୁଥିବା ଦେଖିବାକୁ ମିଳିଛି। ଶୀତବସ୍ତ୍ର କାମରେ ଆସୁ ନ ଥିବା ବେଳେ ଏବେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ନିଆଁ ଭରସା ପାଲଟିଛି। ପ୍ରବଳ ଥଣ୍ଡା ଯୋଗୁଁ ସଞ୍ଜ ନଇଁଲେ ସହର ଜନଶୁନ୍ୟ ହେବା ସହ ରାସ୍ତାଘାଟ ଖାଁ ଖାଁ ଲାଗୁଚି। ରାତି ବଢିଲେ କୁହୁଡି ଆରମ୍ଭ ହେବା ସହ ଶୀତ ବଢୁଛି ସକାଳ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ କୁହୁଡି ମୟ ଆକାଶ ରହିଥିବା ଦୃଶ୍ୟ ଦେଖୁବାକୁ ମିଳିଛି।ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ଏବଂ ହଠାତ ୧୦ଡିଗ୍ରୀ ତଳକୁ ତାପମାତ୍ରା ଖସିବା ଯୋଗୁଁ ହଠାତ ପ୍ରବଳ ଥଣ୍ଡା ପଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଇପଡିଛନ୍ତି। ଅଞ୍ଚଳରେ ଗରିବ ରେଖାତଳେ ଥିବା ବୃଦ୍ଧାବୃଦ୍ଧଙ୍କୁ ଅଧିକ ଶୀତ କଷ୍ଟ ଦେଉଥିବା ବେଳେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ହେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ହାତଯୋଡି ବସିଥିବା ଗରମ ପୋଷାକ ବ୍ୟବସାୟୀ ଥଣ୍ଡା ପଡିବା ପରେ ନିଜ ବ୍ୟବସାୟକୁ ନେଇ ବେଶ ଉତ୍ସାହିତ ହୋଇପଡିଛନ୍ତି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ଆଗାମୀ ଦିନରେ ପାରଦ ଆହୁରି ତଳକୁ ଖସିବା ସହ ଜାଡ ବଢିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ