ବାଲିଗୋଠରେ ଛାତ୍ରାଭିଭାବକ ଓ ଗ୍ରାମବାସୀଙ୍କ ବିରୋଧ ସତ୍ୱେ ଅଙ୍ଗନୱାଡି ଗୃହ ନିର୍ମାଣ ଅଭିଯୋଗ
କେନ୍ଦ୍ରାପଡା : ଆୟବା ପଂଚାୟତର ବାଲିଗୋଠ ଗ୍ରାମରେ ଛାତ୍ରାଭିଭାବକ ଓ ଗ୍ରାମବାସୀଙ୍କ ପ୍ରବଳ ବିରୋଧ ସତ୍ୱେ ବାଲିଗୋଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ କରାଯାଉଥିବା ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେମାନଙ୍କ ଅଭିଯୋଗ ହେଉଛି ଯେ ଏହି ବିଦ୍ୟାଳୟର ତିନୋଟି ଶ୍ରେଣୀଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଚାଲୁଥିବା ବେଳେ ମାତ୍ର ୩ଜଣ ଶିକ୍ଷକ ଅଛନ୍ତି । ଅନ୍ୟପଟରେ ବିଦ୍ୟାଳୟର ୩ଟି ଗୃହକୁ ଛାଡି ଯେଉଁ କିଛି ଜମି ରହିଛି ତାହା ନୂତନ ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ଯଥେଷ୍ଟ ନୁହେଁ । ଏଭଳି ପରିସ୍ଥିତିରେ ସେହି ସ୍ଥାନରେ ଗ୍ରାମବାସୀ, ଛାତ୍ରାଭିଭାବକ, ସ୍ଥାନୀୟ ସରପଂଚ ଓ ୩ଜଣ ୱାର୍ଡମେମ୍ବରଙ୍କ ପ୍ରତିବାଦ ସତ୍ୱେ କିଛି ମୁଷ୍ଟିମେୟ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ଯାଇ ତଦନ୍ତ ପୂର୍ବକ ଆବଶ୍ୟକ ନିଷ୍ପତି ଗ୍ରହଣ କରିବାକୁ ଗ୍ରାମବାସୀ ଓ ଛାତ୍ରାଭିଭାବକଙ୍କ ପକ୍ଷରୁ ସୁବାଷ ଚନ୍ଦ୍ର ବାରିକ, ସୁରେଶ ଦାସ, ଜୟନ୍ତୀ ସେଠୀ, ସ୍ୱର୍ଣ୍ଣଲତା ବାରିକ, ସନ୍ତୋଷ ଦାସ, ମଣି ଚରଣ ଦାସ, ମାନଗୋବିନ୍ଦ ଦାସ, ତ୍ରିଲୋଚନ ଦାସ, ମୀନକେତନ ଦାସ, ରାମଚନ୍ଦ୍ର ସ୍ୱାଇଁ, ଭରତ ଚନ୍ଦ୍ର ସ୍ୱାଇଁ, ମୁରଲିଧର ଦାସ, ଭିକାରୀ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଥିସହିତ ସେମାନେ କେନ୍ଦ୍ରାପଡା ବିଡିଓ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।