ବାଲିବରେଇ ପଞ୍ଚାୟତରେ ରାସନକାର୍ଡରେ ଦୁର୍ନୀତି
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାର ଦୁର୍ନୀତି ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ଏବେ ପୁଣି ରାସନକାର୍ଡ ଦୁର୍ନୀତି ମୁଣ୍ଡଟେକିଛି । ଜଣେ ଜଣେ ବ୍ୟକ୍ତି ପୁର୍ବରୁ ରାସନକାର୍ଡ ହାତେଇଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କ ନାମରେ ପୁନର୍ବାର ଅନ୍ତୋର୍ଦ୍ଦୟ ଯୋଜନାର କାର୍ଡ ଯୋଗାଇ ଦିଆଯାଇଛି । ପୁର୍ବତନ ଯୋଗାଣ ଅଧିକାରୀଙ୍କ ସମୟରେ ଏପରି ହୋଇଥିବା ଜଣେ କର୍ମଚାରୀ ତାଙ୍କ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ସୁଚନାରୁ ଜଣାଯାଇଛି ଯେ ବାଲିବରେଇ ପଞ୍ଚାୟତର ଅନ୍ନପୁର୍ଣ୍ଣା ଚକ୍ରଙ୍କ ନାମରେ ପୁର୍ବରୁ ରେସନକାର୍ଡ ଥିଲା । ସେ ସେହି କାର୍ଡରେ ପରିବାର ସଦସ୍ୟଙ୍କ ସହିତ ରେସନ ସାମଗ୍ରୀ ଉଠାଉଥିଲେ । କିନ୍ତୁ ଗତ ୮/୫/୨୦୨୨ରେ ପୁର୍ବତନ ଯୋଗାଣ ଅଧିକାରୀ ତାଙ୍କ ନାମରେ ଏକ ଅନ୍ତୋର୍ଦ୍ଦୟ କାର୍ଡ କରାଇଦେଲେ । ଯାହାର ନମ୍ବର ହେଉଛି ୧୮୦୭୦୫୧୧୩୬୨ । ତାଙ୍କ ପୁରୁଣା କାଡକୁ ତାଙ୍କ ସ୍ୱାମୀଙ୍କ ନାମରେ କରିଦେଲେ । ଫଳରେ ସେ ଏହି ଅନ୍ତୋର୍ଦ୍ଦୟ କାର୍ଡ ମାଧ୍ୟମେ;ର ମାସିକ ୩୫କିଲୋ ଲେଖାଏଁ ଚାଉଳ ପାଇପାରିବ । କିନ୍ତୁ କାର୍ଡକୁ ଧରି ପଞ୍ଚାୟତକୁ ଚାଉଳ ପାଇବାପାଇଁ ଯାଉଥିବାବେଳେ ପଞ୍ଚାୟତର ପିଇଓ ତାଙ୍କୁ ଚାଉଳ ଦେଉ ନଥିବା ଅନ୍ନପୁର୍ଣ୍ଣା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଆଜି ବିଡିଓଙ୍କୁ ଭେଟି ନିବେଦନ କରିବା ସହିତ ବ୍ଲକ ଅଧ୍ୟକ୍ଷାଙ୍କୁ ଭେଟି ନିଜର ଅଭିଯୋଗ ରଖିଛନ୍ତି । ତାଙ୍କ ଅଭିଯୋଗ ଯେ ଆମ ପଞ୍ଚାୟତର ଅନେକ ଲୋକ ଏପରି ଅନ୍ତୋର୍ଦ୍ଦୟ କାର୍ଡ ହାତେଇ ପଞ୍ଚାୟତରୁ ୩୫କିଲୋ ଲେଖାଏଁ ଚାଉଳ ନେଉଥିବାବେଳେ ଆମକୁ କାହିଁକି ଦିଆଯିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଯେହେତୁ ତାଙ୍କ ପରିବାରର ରେସନକାର୍ଡ ପୁର୍ବରୁ ଅଛି ଓ ସେଥିରେ ସେ ରେସନ ସମଗ୍ରୀ ଉଠାଉଛନ୍ତି ପୁଣି ଏକ କାଡରେ କିପରି ଅନ୍ତୋର୍ଦ୍ଦୟ ଚାଉଳ ଦେବୁ ବୋଲି ପ୍ରଶ୍ନ କରିଛନ୍ତି । ଯଦି ଏହି କାର୍ଡରେ ତାଙ୍କୁ ଚାଉଳ ଦିଆଯିବ ନାହିଁ ତେବେ ତାଙ୍କୁ କାହିଁକି ଏହି କାର୍ଡ ଦିଆଯାଇଛି ବୋଲି ଅନ୍ନପୁର୍ଣ୍ଣ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏବେ ଆପଣଙ୍କ ଠାରୁ ଏପରି ଅଭିଯୋଗ ସମ୍ପର୍କରେ ଶୁଣିଲି, ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଛନ୍ତି । ଖାଲି ଏହି ପଞ୍ଚାୟତ ନୁହଁ ଅନେକ ପଞ୍ଚାୟତରେ ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପୁର୍ବତନ ଯୋଗାଣ ଅଧିକାରୀଙ୍କ ସମୟରେ ହୋଇଥିବା ନୁତନ କାର୍ଡ ଗୁଡିକୁ ତଦନ୍ତ ପରିସର ଭୁକ୍ତ କରାଯାଇ ତଦନ୍ତ କଲେ ଅନେକ ଅନିୟମିତତାର ପର୍ଦ୍ଦାଫାସ ହୋଇପାରିବ ବୋଲି ଆଲୋଚନା ହେଉଛି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।


