ବାଲିଯାତ୍ରା ଉଦଯାପିତ ଶେଷ ଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଯାତ୍ରା ୧୨ ଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ପୂର୍ଣ୍ଣାହୁତି ହୋଇଛି। ଏହି ଯାତ୍ରାରେ ମା’ ମାଣିକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ଣ୍ଣାହୁତି ଦିନରେ ଶହ ଶହ ଶ୍ରଦ୍ଧାଳୁ ଏହି ଯାତ୍ରାରେ ଯୋଗଦେଇ ଅଗ୍ନି ଉପରେ ଖାଲି ପାଦରେ ଚାଲି ନିଜ ମାନସିକ ପୂରଣ କରିଥାନ୍ତି। ଅଗ୍ନିରେ ଚାଲିବା ସମୟ ରେ ମା’ ମାଣିକେଶ୍ବରୀଙ୍କ ଆର୍ଶିବାଦ ମିଳିବା ସହ ଭୟ ନ ଥାଏ ବୋଲି ଶ୍ରଦ୍ଧାଳୁ କୁହନ୍ତି। ପ୍ରବଳ ବର୍ଷାରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା। ବର୍ଷା ଯେତେ ପ୍ରବଳ ହେଉଥିଲା ଭକ୍ତଙ୍କ ସଂଖ୍ୟା ସେଭଳି ବୃଦ୍ଧି ପାଉଥିଲା ସମସ୍ତଙ୍କ ମନରେ ଆନନ୍ଦ ଦେଖାଯାଇଥିଲା। ପ୍ରତିବର୍ଷ ନୁଆଁଖାଇ ସରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଥାଏ। ବର୍ଷ ବର୍ଷ ଧରି ପରମ୍ପରା ରହିଆସିଛି ଯେ, ଏଠାରୁ ବାଲି ଯିବା ପରେ କଳାହାଣ୍ଡି ଜିଲା ଭବାନୀପାଟଣାରେ ଦଶହରା ପର୍ବ ପାଳନ ହୋଇଥାଏ। ଏହି ଅବସରରେ ମୁଖ୍ୟ ଆକର୍ଷଣ ଠାକୁରଙ୍କୁ ନେଇ ଭକ୍ତ କଣ୍ଟା ପିଢାରେ ଝୁଲିବା ସହ ଅଗ୍ନିରେ ଶ୍ରଦ୍ଧାଳୁ ମାନେ ଚାଲିଥାନ୍ତି। ଏହାକୁ ଦେଖିବାକୁ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ମାଧବ ପୂଜାରୀ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କର କହିବାନୁଯାୟୀ, ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ। ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି। ଏହା ଆଜି କି କାଲି ନୁହେଁ, ପିଢ଼ି ପିଢ଼ି ଧରି ବିଶ୍ୱାସ ରହିଆସିଛି। ଆତ୍ମ ବିଶ୍ୱାସ ଓ ଆସ୍ଥା ପ୍ରକଟ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ