ବାଲି ଉଠାଣକୁ ମାଫ୍ ନା ଅନୁକମ୍ପା ? ଖୁଲମଖୋଲା ଚାଲିଛି ବେଆଇନ ବାଲି ଚାଲାଣ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧାମନଗର ବ୍ଲକ ଓ ଧୂଷୁରୀ ଥାନା ଅଧୀନ ଅର୍ଜୁନପୁର, ମମଦୁଲା, ଅସ୍ତକ, ହସନାବାଦ ଆଦି ସ୍ଥାନରେ ଥିବା ବୈତରଣୀ ଓ କୋଚିଳା ନଦୀରୁ ବେଧଡକ ବାଲି ଉଠାଣ ଚାଲିଛି । ଯେଉଁଠାରେ ବାଲି ଉଠାଣ ହେଉଛି ନଦୀବନ୍ଧକୁ ତାଡି ସବୁଦିନିଆ ରାସ୍ତାକୁ ନାରଖାର କରି ଦିଆଯାଇଛି । ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉ ଥିବାରୁ ସେଥିରୁ ଗଡୁଥିବା ଜଳ ନଦୀବନ୍ଧ ରାସ୍ତାକୁ ଖସଡା କରିବା ସହ ବାଇକ ଚାଳକ ସାଇକେଲ ଯୋଗେ ଯାଉଥିବା ବ୍ୟକ୍ତି ପଡି ଖଣ୍ଡିଆ ଖାବରା ହେଉଛନ୍ତି । ଅନ୍ୟ ପକ୍ଷରେ ହାଇୱା ଯାନ ଯୋଗେ ମଧ୍ୟ ବାଲି ଚାଲାଣ ଅହରହ ଚାଲିଛି । ଧୂଷୁରୀ ବଜାର ସମେତ ଆଖପାଖ ଛକ ସ୍ଥାନରେ ଲୋକ ମାନେ ଦୈନନ୍ଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ସ୍କୁୁଲ ପିଲାମାନେ ମଧ୍ୟ ଯା’ଆସ କରିବାରେ ବ୍ୟାଘାତ ସୃଷ୍ଟି ହେଉଛି ଓ ଜୀବନ ପ୍ରତି ବିପଦ ଦେଖା ଦେଇଛି । ନୂଆ ନିୟମ ଅନୁସାରେ ବାଲି ଉଠାଣ ଏବେ ଖଣି ବିଭାଗ ଅଧୀନକୁ ଚାଲି ଯାଇଥିବାରୁ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତି , ସ୍ଥାନୀୟ ତହସିଲଦାରଙ୍କ ନିଷ୍କ୍ରିୟତା ବାଲି ଉଠାଣ କାରୀଙ୍କୁ ସୁହାଉଛି । ଅନ୍ୟ ପକ୍ଷରେ ନିୟମାନୁସାରେ ତହସିଲଦାର, ଜଙ୍ଗଲ ବିଭାଗ ଅଧିକାରୀ ଓ ସ୍ଥାନୀୟ ପୋଲିସ ଚୋରା ବାଲି ଉଠାଣକୁ ବନ୍ଦ କରି ପାରିବେ । କିନ୍ତୁ ଅଭିଯୋଗ ସତ୍ତ୍ବେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ମଧ୍ୟ ବାଲି ଉଠାଣକୁ ସୁହାଉଛି । ପୂର୍ବପରି ବାଲିଘାଟ ନିଲାମ ସରଳୀକରଣ ହୋଇନଥିବାରୁ ବାଲି ଚୋରାଚାଲାଣ ଚାରିଆଡେ ଚାଲିଛି ବୋଲି କୁହାଯାଉଛି । ବାଲିଘାଟ ନିଲାମ ନହେବାରୁ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ ହାନି ମଧ୍ୟ ହେଉଥିବା ସ୍ପଷ୍ଟ ଜଣାପଡୁଛି । ଚୋରା ବାଲି ଚାଲାଣକୁ ବୋରୋଧ କରି ଶନିବାର ଧୂଷୁରୀ ଅଞ୍ଚଳର କିଛି ବ୍ୟକ୍ତି ଭଦ୍ରକ ଜିଲାପାଳ ଦୀଲିପ ରାଉତରାଏଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଜିଲାପାଳ ଖଣି ବିଭାଗର ଡେପୁଟି ଡାଇରେକ୍ଟର୍ ସନ୍ତୋଷ ଦଳାଇଙ୍କୁ ଟେଲିଫୋନ ଯୋଗେ ଚୋରା ବାଲି ଉଠାଣକୁ ବନ୍ଦ କରିବା ସହ ଉଠାଣ କାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଡେପୁଟି ଏଡିଟରଙ୍କୁ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ବି ସେ ଫୋନ ଉଠାଉ ନାହାନ୍ତି । ସାଧାରଣରେ ଏବେ ଏକ ପ୍ରଶ୍ନ ଉଙ୍କି ମାରୁଛି ବାଲି ଉଠାଣ ଓ ଚାଲାଣ ପ୍ରତି ବିଭାଗ ଅଧିକାରୀଙ୍କ ନିଷ୍କ୍ରିୟତା ମାଫ୍ ନା ଅନୁକମ୍ପା ?

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ