ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଆଜି ପେଟ୍ରୋଲିଂ କରୁଥିବା ବେଳେ ଫିଲ୍ମି ଷ୍ଟାଇଲରେ ଏକ ବେଆଇନ ବାଲି ଟ୍ରାକ୍ଟରକୁ ଧରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବୈତରଣୀ ନଦୀର ଷୋଳମପୁର ପଂଚାୟତ ମୁଢାପଦା ଘାଟରୁ ଯାଜପୁର ଜିଲ୍ଲାର ଏକ ଟ୍ରାକ୍ଟର ବାଲି ବୋଝେଇ କରି ଆସୁଥିବା ବେଳେ ପୁଲିସ ଏହାକୁ ଧରିଥିଲା। ଗାଡିଟି ନଦୀରୁ ମୁଖ୍ୟ ରାସ୍ତାକୁ ଆସିବା ପରେ ଗୋଟିଏ ପଟୁ ପୁଲିସ ଉପଖଣ୍ଡ ଅଧିକାରୀ ଏହାକୁ ଧରିବା ପାଇଁ ପିଛା କରିଥିଲେ। ଏହି ସମୟରେ ଥାନା ଅଧିକାରୀ ପେଟ୍ରୋଲିଂ ସାରି ଆସୁଥିବା ବେଳେ ବେଆଇନ ଟ୍ରାକ୍ଟରଟି ପୁଲିସ ହାବୁଡ଼ରେ ପଡିଥିଲା। ଦୁଇ ପଟରୁ ପୁଲିସକୁ ଦେଖି ଚାଳକ ଦ୍ରୁତ ଗତିରେ ଗାଡି ନେଇ ପଳାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ଥାନା ଅଧିକାରୀ ଏହାକୁ କାବୁ କରିଥିଲେ। ଏପରିକି ଏକ ମୋଟରସାଇକେଲ ସହିତ ଟ୍ରାକ୍ଟରର ଧକ୍କା ହେବା ସମ୍ଭାବନା ଥିବା ବେଳେ ଅଳ୍ପକେ ମୋଟର ସାଇକେଲ ଆରୋହୀ ଏଥିରୁ ବର୍ତ୍ତି ଯାଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଥିବା ବେଳେ ପୁଲିସ ଟ୍ରାକ୍ଟରଟିକୁ ଜବତ କରି ଥାନାକୁ ଆଣିଛି।