ବାଲେଶ୍ଵର କାରାଗାରରେ ଶାନ୍ତି ସଦଭାବନା ଅଭିଯାନ

ବାଲେଶ୍ଵର, (ସରୋଜ ପଣ୍ଡା):ବିଗତ ଦିନରେ ବାଲେଶ୍ଵରରେ ସଙ୍ଗଠିତ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରଶମନ କରିବା ନିମନ୍ତେ ଗାନ୍ଧୀବାଦୀ ସଂଗଠନ ମାନେ ଚଳାଇଥିବା ଶାନ୍ତି ଅଭିଯାନ ପକ୍ଷରୁ ଦୁଇଦିନ ଧରି ବାଲେଶ୍ଵର ଜିଲ୍ଲା କାରାଗାରରେ କାର୍ଯ୍ୟକ୍ରମ ହୋଇଥିଲା। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ବାଜି ରାଉତ ଛାତ୍ରାବାସ ପକ୍ଷରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଡାକ୍ତର ବିଶ୍ୱଜିତ୍ ଙ୍କ ନେତୃତ୍ୱରେ ଜେଲ ମଧ୍ୟରେ ଭାଇଚାରା ସ୍ଥାପନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥଙ୍କ ଆହ୍ଵାନ କ୍ରମେ ଏହି ଅଭିଯାନ ମାଧ୍ୟମରେ ଦଙ୍ଗା ଅଭିଯୋଗରେ ଜେଲରେ ବନ୍ଦୀ ଥିବା ୯୪ ଜଣ ଅଭିଯୁକ୍ତ ମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ନିମନ୍ତେ ପ୍ରୟାସ କରାଯାଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ନାଟକ ଗୋଟିଏ ଅଚିହ୍ନା ଶବ ପ୍ରଦର୍ଶିତ କରାଯାଇଥିଲା। ଆମ ଦେଶକୁ ଗଢିବାରେ ବିଭିନ୍ନ ଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କର ଅବଦାନ ବାବଦରେ ସେମାନଙ୍କ ମଧ୍ୟରେ ଆଲୋଚନା କରାଯିବା ସହ ଭାରତର ଭାଇଚାରା ସଂସ୍କୃତି ବାବଦରେ ଅଭିଯୁକ୍ତମାନେ ମଧ୍ୟ ମତପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ସଭାରେ ଗାନ କରି ଶୁଣାଇଥିଲେ। ବାଲେଶ୍ଵରର ଭାଇଚାରାକୁ ମଜବୁତ୍ କରିବା ଦିଗରେ ସେମାନେ ଭବିଷ୍ୟତରେ କାର୍ଯ୍ୟ କରିବେ ବୋଲି ମତ ଦେବା ସହ ଆଗାମୀ ଦିନରେ ସେମାନେ ବାଲେଶ୍ଵରରେ ଶାନ୍ତି ଓ ଭାଇଚାରାର ବାର୍ତ୍ତବହ ସାଜିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ନିଜ ଅଜାଣତରେ ଯେଉଁ ଅପରାଧ ଘଟି ଯାଇଛି, ତାହାକୁ ସୁଧାରି ଆଗାମୀ ଦିନରେ ସୁନାଗରୀକ ହେବେ ବୋଲି ଅନେକ ମତ ଦେଇଥିଲେ। ଶେଷରେ ସମସ୍ତେ ମିଶି ସର୍ବ ଧର୍ମ ପ୍ରାର୍ଥନା ଗାନ କରିଥିଲେ।ସଭା ଶେଷରେ ସମସ୍ତେ ସାମୁହିକ ଶପଥ କଲେ ଯେ, “ମୁଁ ଏହି ମହାନ ଦେଶ ଭାରତର ଜଣେ ଏକ ନାଗରିକ ଅଟେ। ମୁଁ ବିଶ୍ବାସ କରେ ଯେ , ଏ ଦେଶରେ ମୋର ଯେତିକି ଅଧିକାର ରହିଛି ଜାତି, ଧର୍ମ,ଭାଷା, ସମ୍ପ୍ରଦାୟ ଆଧାରରେ ପ୍ରତିଟି ନାଗରିକଙ୍କର ସେତିକି ଅଧିକାର ରହିଛି। ମୋ ପାଇଁ ମନ୍ଦିର ଯେତିକି ପବିତ୍ର ମସଜିଦ, ଗୁରୁଦ୍ୱାର ଓ ଚର୍ଚ୍ଚ ବି ସେତିକି ପବିତ୍ର। ଭାରତର ତଥା ବାଲେଶ୍ଵରର ପ୍ରତିଟି ମଣିଷ ମୋର ଭାଇ ଭଉଣୀ ଅଟନ୍ତି। ମୁଁ ସେମାନଙ୍କୁ ଶ୍ରଦ୍ଧା କରିବି ଓ ସେମାନଙ୍କ ସୁରକ୍ଷା ପାଇଁ ପ୍ରୟାସ କରିବି। ଜଣେ ସଚା ଭାରତୀୟ ଭାବରେ ମୁଁ ଜନ୍ମ ଗ୍ରହଣ କରିଛି ଓ ସଚ୍ଚା ଭାରତୀୟ ହିସାବରେ ମୁଁ ଏହି ମାଟିରେ ମିଶିଯିବି।”ଏହି କାର୍ଯ୍ୟକ୍ରମକୁ ମହମ୍ମଦ ଇସଲାମ, ପ୍ରଣୀତା ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ, ପ୍ରତିମା ପଣ୍ଡା, ଜିତେନ୍ଦ୍ରିୟ ଉପାଧ୍ୟାୟ, ବିଜୟ କୁମାର ଦାସ ଅଧିକାରୀ, ଶଶାଙ୍କ ଶେଖର ବାରିକ, ସକିଲା ବାନୁ ପ୍ରମୁଖ ସଂଚାଳନ କରିଥିଲେ। ଜେଲ ଅଧିକ୍ଷକ ସୁଚିତ୍ରା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାଟକରେ ଫୁଲଲତା ସେଠୀ, କର୍ମବୀର କଳ୍ପତରୁ ଦାସ, ଛୋଟରାୟ ମାଝୀ,ସୁବ୍ରତ ନାଏକ, ଶକ୍ତି ବେହେରା, ବିଜୟ ନାୟକ, ଲାଲକୃଷ୍ଣ ନାୟକ, ଚନ୍ଦନ ନାୟକ, ସବ୍ୟସାଚୀ ବେହେରା, ରମେଶ ଚନ୍ଦ୍ର ମାର୍ଡି, ସମୀର ନାୟକ, ଶିବା ଟୁଡୁ ଅଭିନୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ