ବାଲେଶ୍ୱରରୁ ଗଡ଼ିଲା ବର୍ଷର ପଞ୍ଚମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଅଛି । ହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ / ଅର୍ଣ୍ଣପୂର୍ଣ୍ଣ। କାର୍ଡ / ବିଧବା ଭତ୍ତା କାର୍ଡ / ଖାଦ୍ୟସୁରକ୍ଷା ରେସନ କାର୍ଡ / ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ । ଏହି ଯୋଜନା ଅନ୍ତର୍ଗତ ଆଜି ବାଲେଶ୍ୱର ରେଳ ଷ୍ଟେସନ୍ରୁ ଦିବା ଘ. ୧୨.୪୦ ମି ସମୟରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ ଟି ଜିଲ୍ଲାର ୯୭୦ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରେଳ ଉଜ୍ଜୖୈନ ଓ ଓଁକାରେଶ୍ୱର ତୀର୍ଥସ୍ଥାନକୁ ଯାତ୍ରା କରିଛି I ଏହି ତୀର୍ଥଯାତ୍ରା ନିମନ୍ତେ ଚୟନ ହୋଇଥିବା ଯାତ୍ରୀମାନେ ଗତ ୪ ତାରିଖରେ ଜିଲ୍ଲା ପ୍ରଶାସନ ମାନଙ୍କର ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ଘ.୨ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା I ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ଆମୋଦ ନିମନ୍ତେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା Iଆଜି ପ୍ରତ୍ୟୁଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ରେଳ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ଆଦି ମାଧ୍ୟମରେ ଷ୍ଟେସନ ପ୍ରବେଶ କରାଯାଇଥିଲା I ଆଇ.ଆର.ସି.ଟି.ସି. ତରଫରୁ ଫୁଲ, ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା I ପ୍ରବେଶ ସ୍ଥଳରେ ସେମାନଙ୍କୁ ଯାତ୍ରାର ଟିକେଟ୍ ଏବଂ ଆବଶ୍ୟକୀୟ ସାମଗ୍ରୀ ଥିବା କିଟ୍ ପ୍ରଦାନ କରାଯାଇଥିଲା I ଆଇ.ଆର.ସି.ଟି.ସି. ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା, ଖାଦ୍ୟପାନୀୟରେ ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି I ଏହି ଯାତ୍ରା ନିମନ୍ତେ ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟ୍ଫର୍ମରେ ଲାଗିଥିବା ସ୍ୱତନ୍ତ୍ର ତୀର୍ଥଯାତ୍ରା ରେଳ ନିକଟରେ ଏକ ସଭାର ଆୟୋଜନ କରାଯାଇଥିଲା I ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନା ଅନ୍ତର୍ଗତ ସାଂସ୍କୃତିକ ତଥା ଧାର୍ମିକ ତୀର୍ଥକୁ ପ୍ରୋତ୍ସାହିତ କରିବାର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ତୀର୍ଥଯାତ୍ରାରେ ଅଂଶଗ୍ରହଣ କରିଥିବା ବରିଷ୍ଠ ନାଗରିକଙ୍କ କଲ୍ୟାଣ ଉପରେ ଏହାର ସକାରାତ୍ମକ ପ୍ରଭାବ ପକାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓ.ଟି.ଡି.ସି ଅଧ୍ୟକ୍ଷ ଶ୍ରୀ ଲେନିନ ମହାନ୍ତି ଏହି ପବିତ୍ର ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ୨୦୧୬ ମସିହାରୁ ଆୟୋଜିତ ହୋଇ ଆସୁଥିବା ଏହି ଯୋଜନା ଅନ୍ତର୍ଗତ ଉପକୃତ ହୋଇଥିବା ବରିଷ୍ଠ ନାଗରିକମାନଙ୍କ ଆଶା ପୁରଣ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ I ଏଥି ସହିତ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର, ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମକୁ ପ୍ରଶଂସା କରିଥିଲେ I ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ଦକ୍ଷ ଓ ପ୍ରଭାବଶାଳୀ ସମନ୍ୱୟ ଦ୍ୱାରା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ I ଏଭଳି ପ୍ରଶଂସନୀୟ ଯୋଜନାର ସଂକଳ୍ପ ଏବଂ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ତୀର୍ଥଯାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ ଶ୍ରୀ ଶିନ୍ଦେ I ଏହି ସଭାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପରାମର୍ଶଦାତା ଶ୍ରୀ ଦୁର୍ଗା ସାମନ୍ତରାୟ ଯୋଗ ଦେଇଥିଲେ I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଏହି ତୀର୍ଥଯାତ୍ରାର ସଫଳତା କାମନା କରିବା ସହ ତୀର୍ଥଯାତ୍ରୀମାନଙ୍କର ଶୁଭ ମନାସୀ ଥିଲେ I ପରିଶେଷରେ ନିମନ୍ତ୍ରିତ ଅତିଥିମାନେ ରିବନ୍ କାଟି ଯାତ୍ରାର ଶୁଭାରମ୍ଭ କରିବା ସହ ପତାକା ହଲାଇ ରେଳକୁ ଯାତ୍ରା ଅଭିମୁଖେ ପ୍ରେରଣ କରିଥିଲେ I ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉପବିଭାଗ ସମସ୍ତ ବ୍ୟବସ୍ଥା କରିଥିବାବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ସହଯୋଗ କରିଥିଲେ I ଏଠାରେ ପ୍ରକାଶ ଥାଉ କି, ଏହି ଯୋଜନାର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୨୫ଟି ପର୍ଯ୍ୟାୟରେ ସର୍ବମୋଟ ୨୪୬୬୯ ଜଣ ବରିଷ୍ଠ ନାଗରିକ ଭାରତ ବର୍ଷର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ୧୦ଟି ଯାତ୍ରା ମଧ୍ୟରୁ ଏହା ହେଉଛି ପଞ୍ଚମ ଯାତ୍ରା I ଉଲେଖ ଯୋଗ୍ୟ ଯେ, ଏହି ତୀର୍ଥଯାତ୍ରା ସାରି ସେମାନେ ଆସନ୍ତା ୧୦ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ