ବାଲେଶ୍ୱରରୁ ହରିଦ୍ୱାର-ଋଷିକେଶ ଯାତ୍ରା କଲେ ୯୭୦ ତୀର୍ଥଯାତ୍ରୀ
ବାଲେଶ୍ୱର, (ସରୋଜ ପଣ୍ଡା):‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ବାଲେଶ୍ୱର ସମେତ ଉତ୍ତର ଓଡିଶାର ମୟୂରଭଞ୍ଜ, ଭଦ୍ରକ, କେଉଁଝର ଓ ଯାଜପୁରର ପ୍ରଭୃତି ୫ ଜିଲ୍ଲାରୁ ମୋଟ ୯୭୦ ଜଣ ତୀର୍ଘଯାତ୍ରୀ ଟ୍ରେନ ଯୋଗେ ସୋମବାର ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଯାତ୍ରା କରିଛନ୍ତି । ବାଲେଶ୍ୱର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଲେଲିନ୍ ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପର୍ଯ୍ୟଟନ ବିଭାଗ ଉପଦେଷ୍ଟା ଦୂର୍ଗାପ୍ରସାଦ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗିରୀଶ ଚନ୍ଦ୍ର ଦାଶ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ଯୋଗଦେଇ ତୀର୍ଥଯାତ୍ରୀଙ୍କ ସଫଳ ଯାତ୍ରା କାମନା କରିଥିଲେ । ଗତକାଲି ରାତିରେ ନୋସି ବିଜିନେସ ପାର୍କରେ ଅବସ୍ଥାନ କରିଥିବା ୫ ଜିଲ୍ଲାର ଯାତ୍ରୀ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କୁ ପାରମ୍ପରିକ ରୀତିନୀତିରେ ବନ୍ଦାପନା ସହ ସ୍ୱାଗତ କରାଯାଇଥିଲା । ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଜ୍ୟବାସୀଙ୍କୁ ନିଜ ପରିବାରର ସଦସ୍ୟ ମନେ କରୁଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କୁ ୨୦୧୬ ମସିହାରୁ ତୀର୍ଥ ଯାତ୍ରାର ସୁଯୋଗ ସେବା ଦେଇ ଆସୁଛନ୍ତି ବୋଲି ଅତିଥିମାନେ କହିଥିଲେ । ରାଜ୍ୟବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ଯୋଜନା ବାସ୍ତବିକ ଉଚ୍ଚ ବିଚାରର ପ୍ରତିଫଳନ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରେଳ ଷ୍ଟେସନରେ ଭାବା ବେଗମୟ ବିଦାୟ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା । ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ଆଇଆରସିଟିସି ପକ୍ଷରୁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଗୋଟିଏ ଲେଖାଏଁ କିଟ୍ ବ୍ୟାଗ ଉପହାର ଦିଆଯାଇଥିଲା । ଅତିଥିମାନେ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଗଗନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୫ଟି ଜିଲ୍ଲାର ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସମେତ ୩୦ ଜଣ ଏସକର୍ଟ ଅଫିସର ଯାତ୍ରା କରିଛନ୍ତି । ଆସନ୍ତା ୨୫ ତାରିଖରେ ସେମାନେ ଫେରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


