ବାଲେଶ୍ୱରରେ ଇଂଜିନିୟର୍ସ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଇଂଜିନିୟର୍ସ ଫୋରମ ପକ୍ଷରୁ ୫୪ତମ ଇଂଜିନିୟର୍ସ ଦିବସ ତଥା ଫୋରମର ୧୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଓଡ଼େଶା ଭବନରେ ପାଳିତ ହୋଇଯାଇଛି । ଫୋରମର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ନିକଟ ଅତୀତରେ ଇହଧାମ ପରିତ୍ୟାଗ କରିଥିବା ସଂଗଠନର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ଇଂ. ଧନଞ୍ଜୟ ବେହେରା ଓ ଇଂ. ଲକ୍ଷ୍ମୀକାନ୍ତ ସରକାରଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥି ସହିତ ରାଷ୍ଟ୍ରର ମହାନ ବ୍ୟକ୍ତିତ୍ୱ ଭାରତରତ୍ନ ସାର ଏମ ବିଶେଶ୍ୱରାୟାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସଂଗଠନର ଉପ-ସଭାପତି ଇଂ.ଶଶାଙ୍କ ଶେଖର ଦେ ବିଶେଷ୍ୱରାୟାଙ୍କ ଜୀବନାଦର୍ଶ ସମ୍ପର୍କରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଇଂ ହେମନ୍ତ କୁମାର ଜେନା ଚଳିତ ଇଂଜିନିୟର୍ସ ଦିବସର ଜାତୀୟ ବାର୍ତ୍ତା ପାଠ କରିଥିଲେ । ଉପ-ସଭାପତି ଇଂ. ଗୌରାଙ୍ଗ ଚରଣ ସାହୁ, ବରିଷ୍ଠ ଉପଦେଷ୍ଟା ଇଂ.ବନମାଳି ନାୟକ ଓ ଇଂ.ଧରଣୀଧର ମିଶ୍ର ଏଥିରେ ଯୋଗଦେଇ ରାଷ୍ଟ୍ରର ଭିତ୍ତିଭୂମି ବିକାଶରେ ଇଂଜିନିୟରଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ସମମ୍ପାଦକ ଇଂ.ହୃଷୀକେଶ ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ଇଂ ଶ୍ୟାମସୁନ୍ଦର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଇଂ ବିଜୟ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଇଂଜିନିୟର୍ସ ଦିବସ ଅବସରରେ ଫୋରମ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ, ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇଂ ଅନୀଲ କୁମାର ପଣ୍ଡା, ଇଂ ସୁକୁମାର ନାୟକ, ଇଂ ଶ୍ରୀନିବାସ ଦେ, ଇଂ ନଟବର ପ୍ରଧାନ, ଇଂ କୁମାର କାତ୍ତକ, ଇଂ ଡମ୍ବରୁଧର ବିଶୋଇ, ଇଂ ସରୋଜ କୁମାର ଚାନ୍ଦ ପ୍ରମୁଖ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।